ନୂଆଦିଲ୍ଲୀ: ସରିଛି ସଂସଦ ଅଧିବେଶନ । ଏବେ ବିଦେଶ ମୁହାଁ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ପ୍ରଧାନମନ୍ତ୍ରୀ । ଏଥିପାଇଁ ଦୁଇଦିନିଆ ଭୁଟାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଆସନ୍ତା ମାସରେ ମୋଦି ଭୁଟାନ ଗସ୍ତ କରିବେ ବୋଲି ସରକାରୀ ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଗଷ୍ଟ ମାସ ଆରମ୍ଭରୁ ଚୀନ ଯିବେ ବୋଲି ସୂଚନା ମିଳିଛି ।
ମୋଦିଙ୍କ ଭୁଟାନ ଗସ୍ତ ସମୟରେ ପଡୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଉପରେ ବିଶେଷ ଗୁରୁତ୍ବ ଦିଆଯିବ । ଏହାସହ ଦୁଇ ଦେଶ ମଧ୍ୟରେ ଏକ ଅନନ୍ୟ, ରାଜନୈତିକ ସମ୍ପର୍କ, ବିଶ୍ବାସ, ଭଲପାଇବା ଓ ଆପୋଷ ବୁଝାମଣା ମାଧ୍ୟମରେ ଭାବର ଆଦାନ ପ୍ରଦାନ କରାଯିବ ।
ଏହାପରେ ମୋଦି ଓ ଚୀନର ରାଷ୍ଟ୍ରପତି ଜିଙ୍ଗପିଙ୍ଗଙ୍କ ମଧ୍ୟରେ ଔପଚାରିକ ଶିଖର ବୈଠକ ଉହାନ-2ର ଆୟୋଜନ କରାଯିବ ବୋଲି କୁହାଯାଉଛି । ତେବେ ମୋଦି ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ବୈଠକ ଭାରତରେ ଅନୁଷ୍ଠିତ ହେବ । ଏଥିରେ ସେମାନେ ସାଧାରଣ ଜନତା ଓ ସାମାଜିକ ସମ୍ପର୍କ ଉପରେ ଆଲୋଚନା କରିବେ ।
ଏହାସହ ଜୟଶଙ୍କର ଚୀନ ସରକାରଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଯେପରିକି ସୀମା ବିବାଦ, ଭାରତୀୟ ବଜାରର ଉତ୍ପାଦିତ ଦ୍ରବ୍ୟକୁ ଚୀନ ରପ୍ତାନୀ ଉପରେ ଦୃଷ୍ଟି ଆକର୍ଷଣ କରାଯିବ ।