ରାୟପୁର: ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଏନେଇ ଚଳଚଞ୍ଚଳ ସମସ୍ତ ଶକ୍ତି ପୀଠ । ଏହି ଅବସରରେ ମନ୍ତ୍ର ପାଥରେ କମ୍ପୁଛି ସମସ୍ତ ଦେବୀ ପୀଠ । ନବରାତ୍ରୀ ଆରମ୍ଭ ହେବା ମାତ୍ରେ ସମସ୍ତ ଶକ୍ତି ପୀଠ ଗୁଡିକରେ 9 ଦିନ ଧରି ଜ୍ୟୋତି କଳସ ସ୍ଥାପନା କରାଯାଇଥାଏ । ସେନେଇ ଛତିଶଗଡ ଜଗଦଲପୁର ବସ୍ତରର ଆରାଧ୍ୟ ଦେବୀ ମା' ଦନ୍ତେଶ୍ବରୀଙ୍କ ମନ୍ଦିରରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ଅନେକ ଦୂରଦୂରାନ୍ତରୁ ଭକ୍ତ, ନେତା ଓ ରାଜନେତା ମାନେ ଆସି ନିଜର ମନସ୍କାମନା ପୂରା କରିବା ସହ ଦେବୀ ଆଶୀର୍ବାଦ ଲାଭ କରିବା ପାଇଁ ଜ୍ୟୋତି କଳସର ସ୍ଥାପନା କରିଥାନ୍ତି ।
ପ୍ରତିଥର ପରି ଚଳିତବର୍ଷ ମଧ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହ ଓ ଛତିଶଗଡ ବିଧାନସଭା ଅଧ୍ୟକ୍ଷ ଚରଣଦାସ ମହନ୍ତ ଜଗଦଲପୁର ଦନ୍ତେଶ୍ବରୀ ମନ୍ଦିରରେ ଜ୍ୟୋତି କଳସ ସ୍ଥାପନା କରିଛନ୍ତି । ବିଜେପି ନେତା ଶେଷନାରାୟଣ ତିଓ୍ବାରୀ କହିଛନ୍ତି ଯେ, ନବରାତ୍ର ପୂଜା ଆରମ୍ଭ ହେବାମାତ୍ରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପିର ବରିଷ୍ଠ ନେତା ମାନେ ଅନଲାଇନ ମାଧ୍ୟମରେ ଏହି ମନୋକାମନା ଦୀପ ମା ଦନ୍ତେଶ୍ବରୀ ମନ୍ଦିରରେ ପ୍ରଜ୍ବଳିତ କରିଛନ୍ତି ।
କୁହାଯାଏ ଯେ, ବିଜେପିର ସମସ୍ତ ବରିଷ୍ଠ ନେତାମାନଙ୍କର ବସ୍ତରର ଆରାଧ୍ୟ ଦେବୀ ମା' ଦନ୍ତେଶ୍ବରୀଙ୍କ ପାଖରେ ବେଶ ଆସ୍ଥା ଓ ବିଶ୍ବାସ ରହିଛି । ଯେଉଁଥିପାଇଁ ନିଜର ମନୋକାମନା ପୂରଣ କରିବା ପାଇଁ ମନ୍ଦିରରେ ଦୀପ ପ୍ରଜ୍ବଳିତ କରିଥାନ୍ତି ବିଜେପି ନେତା । ଦନ୍ତେଶ୍ବରଙ୍କ ବ୍ୟତୀତ ରାଜ୍ୟର ଅନେକ ଶକ୍ତି ପୀଠ ଗୁଡିକରେ ମଧ୍ୟ ଆସ୍ଥା ଓ ବିଶ୍ବାସର ଦୀପ ଜାଳିଥାନ୍ତି ଭକ୍ତ ।