ବେଙ୍ଗାଲୁରୁ:ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ଣ୍ଣାଟକ ଗସ୍ତରେ ଥିବାବେଳେ ଆଜି (ଶନିବାର) କୋଡାଗୁ ଜିଲ୍ଲାର ମାଡିକେରୀରେ ଜେନେରାଲ ଥିମାୟା ମେମୋରିଆଲ ସଂଗ୍ରହାଳୟର ଉଦଘାଟନ କରିଛନ୍ତି । ସଂଗ୍ରହାଳୟରେ ଅସ୍ତ୍ରଶସ୍ତ୍ର, ଜେନେରାଲ ଥିମାୟା ବ୍ୟବହାର କରୁଥିବା ସାମରିକ ପୋଷାକ ସମେତ ସ୍ମାରକପତ୍ର ଆଦି ପ୍ରଦର୍ଶିତ ହୋଇଛି । ଏକ ଯୁଦ୍ଧ ବିମାନ ବ୍ୟତୀତ ପ୍ରବେଶ ଦ୍ବାରରେ ଏକ ଯୁଦ୍ଧ ଟ୍ୟାଙ୍କ ମଧ୍ୟ ରଖାଯାଇଛି ।
ଜେନେରାଲ ଥିମାୟା ଭାରତୀୟ ସେନାରେ କାର୍ଯ୍ୟରତ ଥିବା ବେଳେ ବେସ ସାହସପୂର୍ଣ୍ଣ ପ୍ରଦର୍ଶନ ଦେଖାଇଥିଲେ । ସେ ସ୍ଥଳ ସେନାମୁଖ୍ୟ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ । ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳରେ ତାଙ୍କର ସାହାସିକତା ମନେ ପକାଇ ଟ୍ବିଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।
ରାଷ୍ଟ୍ରପତି କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଡିକେରୀରେ ପହଞ୍ଚିବା ପରେ କର୍ଣ୍ଣାଟକ ସରକାରଙ୍କ ବିଭିନ୍ନ ମନ୍ତ୍ରୀ,ସ୍ଥାନୀୟ ନିର୍ବାଚିତ ପ୍ରତିନିଧି, ଡେପୁଟି କମିଶନର ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ ବିପିନ ରାଓ୍ବତ ମଧ୍ୟ ଉପସ୍ଥିତ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ