ପାଟଣା : ଆଉ କିଛି ଦିନ ପରେ ବାଜିବ ବିହାର ନିର୍ବାଚନ ବିଗୁଲ । ନିର୍ବାଚନ ରଣକୁ ଓହ୍ଲାଇବେ ଶାସକ ବିରୋଧୀ । ମତଦାନ କରି ଲୋକେ 5 ବର୍ଷ ପାଇଁ ବାଛିବେ ପ୍ରତିନିଧି । କିଏ କାମ କରିଛି ଆଉ କିଏ କରିବ ଏଭଳି ପୁଳା ପୁଳା ସ୍ବପ୍ନ ଆଉ ପ୍ରତିଶୃତି ପାଇ ଜନତା ଚୟନ କରିବେ ନେତା ।
ନଭେମ୍ବର 31 ସୁଦ୍ଧା ନିର୍ବାଚନ ସାରିବାକୁ ନିର୍ବାଚନ କମିଶନ ପ୍ରସ୍ତୁତ ଚଳାଇଥିବାବେଳେ ଏପଟେ ବିହାରରେ ସମସ୍ତ ଦଳ ନିଜ ନିଜ ପ୍ରଚାରରେ ଲାଗିପଡିଛନ୍ତି । ପାଟଣା ସିଂହାସନକୁ ହାତେଇବା ପାଇଁ ଏନଡିଏ ଜୋରଦାର କସରତ କରୁଥିବାବେଳେ କଂଗ୍ରେସ ଆରଜେଡି ମଧ୍ୟ ପଛରେ ପଡିନାହାଁନ୍ତି ।
ବିଜେପି ଏଠାରେ ଜେଡିୟୁର ନୀତିଶ କୁମାରଙ୍କୁ ଆଗରେ ରଖି ରଣନୀତି କରୁଥିବାବେଳେ ତୁହାକୁ ତୁହା ଭର୍ଚୁଆଲ ରାଲି କରି ଲୋକଙ୍କ ନିକଟତର ହେଉଛି । ସେହିପରି ଅନେକ କେନ୍ଦ୍ରୀୟ ଯୋଜନାକୁ ବିହାରରୁ ଶୁଭାରମ୍ଭ କରି ଦଳ ଲୋକଙ୍କ ପ୍ରିୟ ଭାଜନ ହେବାକୁ ଚେଷ୍ଟା କରୁଛି।
ତେବେ ଏସବୁ ଭିତରେ ପାଟଣାରେ ଲାଗିଥିବା ପୋଷ୍ଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏହି ପୋଷ୍ଟରେ ଲଗାଯାଇଥିବା ଦେଖିବାକୁ ମିଳଛି । ଆଉ ଏଥିରେ ଉଭୟ ହାତ ଯୋଡିଥିବାର ଦେଖିବାକୁ ମିଳିଛି । ଯାହାକି ବିହାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଗୁଆ ନିର୍ବାଚନ ପ୍ରଚାର ବୋଲି ଚର୍ଚ୍ଚା ଧରିଛି ।
ସୂଚନାଥାଉକି, ଗତ ବିଧାନସଭା ନିର୍ବାଚନରେ ଏନଡିଏର ହାତଛାଡି କଂଗ୍ରେସ ଓ ଆରଜେଡି ବଳରେ ନିର୍ବାଚନ ପାର ହୋଇଥିଲେ ନୀତିଶ କୁମାର ।