ନୂଆଦିଲ୍ଲୀ: ରବିବାର ସ୍କୁଲ ଛୁଟି ଓ ବଢିଯାଏ ପିଲାଙ୍କ ଉତ୍ସାହ । ମଧ୍ୟାହ୍ନ ଭୋଜନ ଆଗରୁ ଟିଭି ଆଗରେ ପୁରା ପରିବାରର ଭିଡ । ସମୟ ଆଗରୁ ସମସ୍ତେ ରେଡି ହୋଇ ବସିଯାଆନ୍ତି । କାରଣ ପ୍ରସାରଣ ହେବାକୁ ଥାଏ ଛୋଟ ପରଦାର ଫେଭରିଟ ଶୋ । ଭାରତର ପ୍ରଥମ ସୁପରହିରୋ । ସମସ୍ତଙ୍କ ପସନ୍ଦର କାର୍ଯ୍ୟକ୍ରମ ଶକ୍ତିମାନ । ଦୁଷ୍ଟ ବୈଜ୍ଞାନିକଙ୍କ ସହ ଶକ୍ତିମାନର ଲଢେଇ, ଡାକ୍ତର ଗଙ୍ଗାଧରଙ୍କ କମେଡି ଏବଂ ଶେଷରେ ଶିକ୍ଷଣୀୟ ବାର୍ତ୍ତା । କିଏ ଭୁଲିପାରିବ ଛୋଟବେଳର ସେହି ସ୍ମୃତିକୁ ।
ତାଜା ହେବ ପୁରୁଣା ସ୍ମୃତି । ପୁଣି ଥରେ ଛୋଟ ପରଦାକୁ ଫେରୁଛି ଲୋକପ୍ରିୟ ଟିଭି ଶୋ । ଲୋକେ କୁହନ୍ତି ‘ଓଲ୍ଡ ଇଜ ଗୋଲ୍ଡ ’ । ଆଉ ଏହି ଉକ୍ତିକୁ ସଠିକ ପ୍ରମାଣ କରିଛି ଶକ୍ତିମାନ । କାରଣ ଏତେ ବର୍ଷ ପରେ ଲାପଟପ, ମୋବାଇଲ ଯୁଗରେ ଆଜି ମଧ୍ୟ ଏହି ଶୋର କମିନି ଚାହିଦା । ସେଥିପାଇଁ ତ ପୁଣିଥରେ ଏହି ଶୋକୁ ପୁନଃ ପ୍ରସାରଣ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ଲୋକଙ୍କ ପାଇଁ ଫେରାଇ ଆଣିଛି ପୁରୁଣା ସ୍ମୃତି । କାରଣ ପରିବାର ସହ ସମସ୍ତେ ପୁଣି ଏକାଠି ହୋଇ ଦେଖୁଛନ୍ତି ପୁରୁଣା ଦିନର ଲୋକପ୍ରିୟ ସିରିଏଲ ।
ମହାଭାରତ, ରାମାୟଣ ପରେ ଏବେ ଶକ୍ତିମାନ ଓ ଚାଣକ୍ୟର ପାଳି । ଏପ୍ରିଲ ପ୍ରଥମ ସପ୍ତାହରୁ ଉଭୟ ଶୋ ଆରମ୍ଭ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ମୁକେଶ ଖାନ୍ନା ଅଭିନୀତ ଶକ୍ତିମାନ ଦୂରଦର୍ଶନରେ ମଧ୍ୟାହ୍ନ 1ଟାବେଳେ ପ୍ରତିଦିନ ଘଣ୍ଟାଏ ପାଇଁ ପ୍ରସାରିତ ହେବ । ସେହିପରି ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଚାଣକ୍ୟର ସମସ୍ତ 47ଟି ଏପିସୋଡ ପୁଣି ପ୍ରସାରିତ ହେବ । ଡିଡି ଭାରତୀରେ ଏହା ଅପରାହ୍ନରେ ପ୍ରସାରଣ ହେବ ବୋଲି ସରକାର ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାମାନନ୍ଦ ସାଗରଙ୍କ ରାମାୟଣ ଓ ବି ଆର ଚୋପ୍ରାଙ୍କ ମହାଭାରତ ପୁଣି ପ୍ରସାରିତ ହେବା ପରେ ଲୋକେ ଖୁବ ଆନନ୍ଦରେ ଏହାକୁ ଉପଭୋଗ କରୁଛନ୍ତି । ଏହାସହ ଶକ୍ତିମାନର ପ୍ରସାରଣ ପାଇଁ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଲୋକେ ଅନୁରୋଧ କରିଥିଲେ । ଯାହାକୁ ସରକାର ଗ୍ରହଣ କରିବା ସହ ଲୋକଙ୍କ ଇଚ୍ଛା ପୂରଣ କରିଥିବାରୁ ସୋସିଆଲ ମିଡିଆରେ ଖୁସିର ଲହରୀ ଖେଳିଯାଇଛି ।
ସୌଜନ୍ୟ@ANI