ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏବଂ କୋରୋନା ଯୋଦ୍ଧା ଦିନରାତି ଲଢେଇ ଜାରି ରଖିଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କୋରୋନା ରୋଗୀଙ୍କୁ ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଦିଲ୍ଲୀର 42ଟି ଘରୋଇ ଡାକ୍ତରଖାନାରେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଯିବ । ଏଥିପାଇଁ ଦିଲ୍ଲୀ ସରକାରରଙ୍କ ମହାନିର୍ଦ୍ଦେଶକ ସ୍ୱାସ୍ଥ୍ୟ ସେବା (ଡିଜିଏଚଏସ) ସମସ୍ତ 42 ଘରୋଇ ଡାକ୍ତରଖାନାକୁ ନିର୍ଦ୍ଦେଶ ଜାରି କରିଛି ।
ସୂଚନା ଅନୁଯାୟୀ, ଏହି 42ଟି ଘରୋଇ ଡାକ୍ତରଖାନାର ବେଡ୍ ରିଜର୍ଭ ରଖିବାକୁ କୁହାଯାଇଛି । ଗରିବ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ଡାକ୍ତରଖାନାକୁ ମାତ୍ର ତିନି ଦିନ ମଧ୍ୟରେ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ। ଯେଉଁ ଡାକ୍ତରଖାନାଗୁଡ଼ିକ ଏପରି କରିବେ ନାହିଁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।
ଡିଜିଏଚଏସ ଦ୍ବାରା ଜାରି କରାଯାଇଥିବା ଏକ ଆଦେଶରେ, 42ଟି ଘରୋଇ ଡାକ୍ତରଖାନାର ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କ ମଧ୍ୟରୁ ଇଡବ୍ଲୁଏସ କୋଟା ଅନ୍ତର୍ଗତ ରିଜର୍ଭ ବେଡ୍ ସଂଖ୍ୟା ବିଷୟରେ ଉଲ୍ଲେଖ କରିଛି । ଏହି ସମସ୍ତ ଡାକ୍ତରଖାନାକୁ କୁହାଯାଇଛି ଯେ ରୋଗୀଙ୍କ ଡାକ୍ତରଖାନାରେ ପହଞ୍ଚିବାର ଏକ ଘଣ୍ଟା ମଧ୍ୟରେ ଚିକିତ୍ସା ଆରମ୍ଭ କରିବାକୁ ପଡିବ ।
ମିଡିଆ ରିପୋର୍ଟ ଅନୁଯାୟୀ, ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ ଯଦି ଡାକ୍ତରଖାନାରେ ବେଡ୍ କିମ୍ବା ଭେଣ୍ଟିଲେଟର ଖାଲି ନଥାଏ ତେବେ ସଂକ୍ରମିତ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବା ସମ୍ପୃକ୍ତ ଡାକ୍ତରଖାନାର ଦାୟିତ୍ବ ।