ରାୟପୁର: ଛତିଶଗଡ ଫାର୍ସଗାଓଁ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ଦୁଷ୍କର୍ମ ପିଡିତାଙ୍କ ମୃତ ନବଜାତକର ମୃତଦେହ ଉଦ୍ଧାର କରି ପୋଲିସ ଡିଏନଏ ନମୁନା ପଠାଇବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଷ୍କର୍ମ ପୀଡିତା ନାବାଳିକା ଏକ ଶିଶୁକୁ ଜନ୍ମ ଦେବା ପରେ ଜାନୁଆରୀ 29 ତାର ମୃତ୍ୟୁ ହୋଇଥିଲା । ପରେ କାହାକୁ ନଜଣାଇ ଉକ୍ତ ନାବାଳିକାର ପରିବାର ଶିଶୁର ମୃତଦେହକୁ ପୋତି ଦେଇଥିଲେ । ପରେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଉକ୍ତ ନବଜାତକର ମୃତଦେହକୁ ମାଟି ଖୋଳି ଉଦ୍ଧାର କରିବା ସହ ତାର ଡିଏନଏ ନମୂନା ପରୀକ୍ଷା ପାଇଁ ପଠାଇଛି ।
ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି ଯେ ଦୁଷ୍କର୍ମ ପୀଡିତା ଏକ ସନ୍ତାନ ଜନ୍ମ ଦେଇଛନ୍ତି । କିନ୍ତୁ ଶିଶୁଟି ତାର ନୁହେଁ ବୋଲି ଅସ୍ବୀକାର କରିଛି ଅଭିଯୁକ୍ତ । ତେବେ ଏନେଇ ଡିଏନଏ ଟେଷ୍ଟର ଆବଶ୍ୟକତା ଥିବାରୁ ଶିଶୁର ମୃତଦେହକୁ ମାଟିଖୋଳି ବାହାର କରାଯାଇଥିବା ପୋଲିସ କହିଛି ।
ଘଟଣା ଅନୁସାରେ 2020 ଡିସେମ୍ବର 5ରେ ଫାର୍ସଗାଓଁ ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ନାବାଳକ ପୋଲିସ ଷ୍ଟେସନରେ ଦୁଷ୍କର୍ମର ଶିକାର ହୋଇଥିବା ରିପୋର୍ଟ ଦାଖଲ କରିଥିଲା। 8 ମାସ ପୂର୍ବରୁ ଦୁଷ୍କର୍ମ ହୋଇଥିବା ସେ ଦର୍ଶାଇଥିବା ବେଳେ ଜଣେ ସ୍ଥାନୀୟ ଯୁବକ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ । ପରେ ଉକ୍ତ ଘଟଣାରେ ଅଭିଯୁକ୍ତ ଜଣଙ୍କ ଘଟଣାକୁ ଅସ୍ବୀକାର କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ