ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ପିଡ଼ୀତାଙ୍କ ସହ ସଡକ ଦୁର୍ଘଟଣା ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ହତ୍ୟା ଏବଂ ହତ୍ୟାର ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ତାଙ୍କ ନାଁ ରେ ଏହି ମାମଲା ରୁଜୁ ହୋଇଛି । ଏହି ମାମଲାରେ ବିଧାୟକଙ୍କ ସମେତ ତାଙ୍କ ଭାଇ ମନୋଜ ସେନଗାର ଏବଂ ଅନ୍ୟ 8 ଜଣଙ୍କ ନାଁ ମଧ୍ୟ ସାମିଲ ଅଛି ।
ଜେଲରେ ଥିବା ପୀଡିତାଙ୍କ ଦାଦା ଏହି ମାମଲା ରୁଜୁ କରିଛନ୍ତି । ଆଇପିସିର ଧାରା 302, 307, 506 ଏବଂ 120(ବି) ଅଧିନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଗତକାଲି ପୀଡ଼ିତା ତାଙ୍କର ମାଉସୀ, ଖୁଡି ଓ ତାଙ୍କ ଓକିଲଙ୍କ ସହ କାରରେ ଯାଉଥିଲେ। ଏହି ସମୟରେ ରାଏବରେଲୀ ଠାରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ କାର୍ ଉପରେ ଚଢ଼ି ଯାଇଥିଲା। ପୀଡ଼ିତାଙ୍କ ମାଉସୀ ଓ ଖୁଡି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ସଡକ ଦୁର୍ଘଟଣା ପଛରେ କୁଲଦୀପ ସେନଗାରଙ୍କ ହାତ ଥିବା ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଉନ୍ନାଓର ଜଣେ ନାବାଳିକାଙ୍କ ସହ ବିଜେପି ବିଧାୟକ କୁଲଦୀପ ସେନଗାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ କୁଲଦୀପ ଜେଲ୍ରେ ଅଛନ୍ତି।