ଆଗ୍ରା: କୋରୋନା ସମ୍ପର୍କରେ ତଥ୍ୟ ନଦେଇ ଫସିଛି ଆଗ୍ରାର ଏକ ଘରୋଇ ହସ୍ପିଟାଲ । ଏଠାରେ ଚିକିତ୍ସିତ ଜଣେ ମହିଳା ପଜିଟିଭ ବାହାରିବା ପରେ ହସ୍ପିଟାଲରେ କାମ କରୁଥିବା ମୋଟ ଲୋକଙ୍କ ତଥ୍ୟ ଦେଇନଥିଲେ କର୍ତ୍ତୃପକ୍ଷ । ଏବେ ଆଗ୍ରା ପୋଲିସ ଏହି ହସ୍ପିଟାଲ ବିରୋଧରେ ମାମଲା ରୁଜୁ କରିଛି ।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ କୋରୋନା ସଂକ୍ରମଣ ବ୍ୟାପିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଖବର ଅନୁସାରେ ଆଗ୍ରାର ପାରସ ହସ୍ପିଟାଲରେ ଜଣେ ସ୍ଥାନୀୟ ମହିଳା ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ମଥୁରାର ଏକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ତେବେ ଏହାପରେ ପାରସ ହସ୍ପିଟାଲକୁ କୋରୋନା ହଟସ୍ପଟ ଘୋଷଣା କରାଯିବା ସହ ଏପ୍ରିଲ 6 ଓ 7 ରାତିରେ ଏହାକୁ ସିଲ କରାଯାଇଥିଲା ।
ଏଠାରେ କାମ କରୁଥିବା ସମସ୍ତ ଷ୍ଟାଫ, ଆଟେଣ୍ଡାଟ, ରୋଗୀଙ୍କ ସମ୍ପର୍କରେ ଉପଯୁକ୍ତ ତଥ୍ୟ ଦେଇନଥିଲେ । କର୍ତ୍ତୃପକ୍ଷଙ୍କ ପକ୍ଷରୁ ମୋଟ 73 ଜଣ ଲୋକ ଥିବା ରିପୋର୍ଟରେ ଦର୍ଶାଯାଇଥିଲା । ହେଲେ ପରେ ଏଠାରେ ମୋଟ 220 ଜଣ ଲୋକ ଥିବା ଜଣାପଡିଥିଲା । ସମସ୍ତ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ତେବେ ଏମାନଙ୍କୁ ବିଳମ୍ବରେ ଆଇସୋଲେସନରେ ରଖାଯାଇଥିଲା । ଯେବେକି ଏହା ଭିତରେ ଅନ୍ୟ ଜିଲ୍ଲାରେ ଏହି ଲୋକଙ୍କ ସଂସ୍ପର୍ଶରେ ଆସି ଅନେକ ଲୋକ ଆକ୍ରାନ୍ତ ହୋଇସାରିଥିଲେ । ପୋଲିସ ଆଇପିସି ଧାରା 188, 269, 270 ଓ 271 ଅଧୀନରେ ଏକ ମାମଲା ରୁଜୁ କରିଛି । ଏବେ ସୁଦ୍ଧା ଉତ୍ତରପ୍ରଦେଶରେ କୋଭିଡ 19 ଆକ୍ରାନ୍ତଙ୍କ ସଂଖ୍ୟା 805ରେ ପହଞ୍ଚିଲାଣି ।