ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫାରୁଖାବାଦରେ ଗୋଟିଏ ଘରେ ସୁଭାଷ ବାଥମ ନାମକ ଜଣେ ବ୍ୟକ୍ତି 23ଜଣ ଶିଶୁଙ୍କୁ ବନ୍ଧକ କରି ରଖିଥିବା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ତେବେ ତାଜା ଖବର ଅନୁଯାୟୀ ସମସ୍ତ ବନ୍ଧକ ଥିବା ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବନ୍ଧକ ରଖି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବ୍ୟକ୍ତିକୁ ଏନକାଉଣ୍ଟର କରିଛି ପୋଲିସ ।
ଦୀର୍ଘ 9 ଘଣ୍ଟାର କସରତ ପରେ ସୁଭାଷକୁ ଏନକାଉଣ୍ଟର କରି ମାରିଛି ପୋଲିସ । ତା କବଳରେ ଥିବା 23 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ନିଜ ଝିଅର ଜନ୍ମଦିନ ପାଳନକୁ ଡାକି ଏଭଳି କାଣ୍ଡ ଘଟାଇଥିଲା ବ୍ୟକ୍ତି ଜଣଙ୍କ ।
ବନ୍ଧକ ରଖିବା ପରେ ପୋଲିସ ସହ ସ୍ଥାନୀୟ ପ୍ରଶାସନଙ୍କୁ ନାକରେ ପାଣି ପିଆଇଥିଲା ଏହି ବ୍ୟକ୍ତି ଜଣଙ୍କ। ଯାହାଫଳରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚସ୍ତରୀୟ ବୈଠକ ଡକାଇ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇଥିଲେ ।
ପରେ ଏହି ଉଦ୍ଧାର ଅପରେସନରେ ଏନଏସଜିକୁ ସାମିଲ କରାଯାଇଥିଲା । ଦୀର୍ଘ 9 ଘଣ୍ଟାର କସରତ ପରେ ଶିଶୁଙ୍କୁ ଉଦ୍ଧାର କରାଯିବା ପରେ ବ୍ୟକ୍ତି ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ଜଣାପଡିଛି ।
ତେବେ ଆସନ୍ତୁ ନଜର ପକାଇବା ପୂରା ଘଟଣାକ୍ରମ ଉପରେ...
- ଅପରାହ୍ନ 3ଟାରେ ଅଭିଯୁକ୍ତ ସୁଭାଷ ବାଥମ ଝିଅର ଜନ୍ମଦିନ ଅଛି କହି ପିଲାମାନଙ୍କୁ ନିଜ ଘରକୁ ଡାକିଥିଲା । ପରେ 23 ଜଣ ପିଲା ପହଞ୍ଚିବାରୁ ସେମାନଙ୍କୁ ଗୋଟିଏ ଘରେ ବନ୍ଧକ କରି ରଖିଦେଇଥିଲା ।
- ଘଟଣା ଜଣାପଡିବା ପରେ ଅପରାହ୍ନ 4.30ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପିଲାଙ୍କୁ ବଞ୍ଚାଇବା ଲାଗି ପ୍ରୟାସ ଆରମ୍ଭ କରିଥିଲା ।
- ଏପଟେ ପୋଲିସକୁ ଦେଖି ଅଭିଯୁକ୍ତ ଗୁଳି ଚଳାଇଥିଲା । ଯେଉଁଥିରେ ପୋଲିସ କର୍ମଚାରୀଙ୍କ ସହିତ ଜଣେ ଗ୍ରାମବାସୀ ଆହତ ହୋଇଥିଲେ ।
- ସନ୍ଧ୍ୟା 6ଟାରେ ଏସପି ଓ 7.30ରେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।
- 5 ଘଣ୍ଟା ଧରି ଅଭିଯୁକ୍ତକୁ ମନାଇବା ଓ ପିଲାଙ୍କୁ ବଞ୍ଚାଇବା ଲାଗି ପ୍ରୟାସ କରାଯାଇଥିଲା ।
- ଏହାରି ଭିତରେ ସେ ଏକ 10 ମାସର ଶିଶୁକୁ ରାତି 10.30ରେ ଛାଡିଦେଇଥିଲା ।
- ରାତି 12.30ରେ କାନପୁର ରେଞ୍ଜ ଆଇଜି ମୋହିତ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚିଥିଲେ ।
- ରାତି 1ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲା ଓ ଏନକାଉଣ୍ଟରରେ ଟଳିଲା ଅଭିଯୁକ୍ତ ।
- ରାତି 1.30ରେ ସମସ୍ତ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
- ସେପଟେ ପୋଲିସ ଅଭିଯୁକ୍ତର ପତ୍ନୀକୁ ମଧ୍ୟ ଘରୁ ବାହାରକୁ ଆଣିଲା । ହେଲେ ଗ୍ରାମବାସୀମାନେ ତାକୁ ବାଡେଇବା ଆରମ୍ଭ କରିଦେଲେ ।
- ତେବେ ଅଭିଯୁକ୍ତର ପତ୍ନୀକୁ ଆହତ ଅବସ୍ଥାରେ ପୋଲିସ ଡାକ୍ତରଖାନା ନେଇଥିଲେ ସୁଦ୍ଧା ଚିକିତ୍ସା ଚାଲିଥିବା ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା ।