ଭୋପାଳ: କଥାରେ ଅଛି ଯେମିତି କର୍ମ, ସେମିତି ଫଳ। ଅର୍ଥାତ ଖରାପ କର୍ମ କଲେ ଭଗବାନ ବି ତୁମକୁ ସହାୟ ହେବେ ନାହିଁ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି 4 ଜଣ ଚୋରଙ୍କ ମୃତ୍ୟୁ ହୋଇଛି। ମୃତକମାନେ ମଧ୍ୟପ୍ରଦେଶ ଟିକମଗଡ ଜିଲ୍ଲାର। ଏମାନେ ବିଦ୍ୟୁତ ତାର ଚୋରି କରୁଥିବା ସମୟରେ ଆଘାତ ପାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
ମୃତକମାନେ ହେଲେ ଗୋକୁଲ କୁଶୱା, ରାଜୁ କୁଶୱା, ପ୍ରିତମ ୟାଦବ ଓ ଭିନୋଦ ବୋଲି ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦେଖିବାକୁ ପାଇଥିଲା ଯେ 4 ଜଣ ଯାକ ଯୁବକ ବିଦ୍ୟୁତ ତାର ସହ ଗୁଡେଇ ହୋଇ ପଡିଥିଲେ। ଏହାସହ ସେମାନଙ୍କ ହାତରେ ଚୋରିରେ ବ୍ୟବହୃତ କଟର ମେସିନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।