ନୂଆଦିଲ୍ଲୀ: ଜାମିୟା ମିଲିୟା ଇସଲାମିୟାରେ ନାଗିରକତା ସଂଶୋଧନ ଆଇନକୁ ବିରୋଧ । ଯାହାକୁ ନେଇ ଦେଶର ଅନେକ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଅନ୍ୟ ୟୁନିଭର୍ସିଟି କିନ୍ତୁ ଜାମିୟାକୁ ସମର୍ଥନ କରୁଛି । ରବିବାର ବିଶ୍ବବିଦ୍ୟାଳୟରେ ହିଂସା ଦେଖିବାକୁ ମିଳିଥିଲା । ଏପରିକି ଆନ୍ଦୋଳନକାରୀ ସେଠାରେ ଥିବା କିଛି ବସ୍ ଓ ବାଇକରେ ନିଆଁ ମଧ୍ୟ ଲଗାଇଦେଇଥିଲେ । କିନ୍ତୁ ଏହି ମାମଲାର କାହାଣୀ କିନ୍ତୁ ଛାତ୍ରଙ୍କ ମୁହଁରୁ ଅଲଗା କିଛି ଶୁଣିବାକୁ ମିଳୁଛି । ବିଶ୍ବବିଦ୍ୟାଳୟର ଛାତ୍ର ନୁହେଁ ବରଂ କିଛି ଅସାମାଜିକ ତତ୍ତ୍ବ ଆନ୍ଦୋଳନ ମଧ୍ୟରେ ସାମିଲ ହୋଇ ଏପରି କରିଛନ୍ତି ବୋଲି ଶୁଣିବାକୁ ମିଳୁଛି ।
ପୁଣି ସୋମବାର ସକାଳୁ ବିଶ୍ବବିଦ୍ୟାଳୟରେ ପ୍ରତିବାଦର ନୂଆ ଉପାୟ ଦେଖିବାକୁ ମିଳିଛି । 10ଡିଗ୍ରୀ ତାପମାତ୍ରାରେ ଖୋଲା ଦେହରେ କରିଛନ୍ତି ପ୍ରତିବାଦ । ବିଶ୍ବବିଦ୍ୟାଳୟ ଗେଟ୍ ନମ୍ବର 7ରେ ଶାନ୍ତିପୂର୍ଣ୍ଣ ଭାବରେ ଅର୍ଦ୍ଧ ନଗ୍ନ ହୋଇ ଆନ୍ଦୋଳନ କରିଛନ୍ତି ଛାତ୍ର । ପ୍ରକାଶଥାଉକି, ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଜାମିୟା ବ୍ୟତୀତ ଅନେକ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନ କରାଯାଉଛି । ଏପରିକି ଦିଲ୍ଲୀରେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରବିବାର ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଥିଲା ।
ଏହାସହ ଦିଲ୍ଲୀ ପୋଲିସ ମଧ୍ୟ ବିନା ଅନୁମତିରେ ବିଶ୍ବବିଦ୍ୟାଳୟ ମଧ୍ୟରେ ପ୍ରବେଶ କରିଥିଲା ଓ ଶ୍ରେଣୀଗୃହରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଟିୟର ଗ୍ୟାସର ପ୍ରୟୋଗ କରିଥିଲା । ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ ମାରିବା ସହ ଟିୟର ଗ୍ୟାସର ପ୍ରୟୋଗ କରିଥିଲା । ଏପରିକି ଛାତ୍ରମାନେ ଶ୍ରେଣୀଗୃହ ଝରକା କାଚ ଭାଙ୍ଗି ବାହାରକୁ ବାହାରିଥିଲେ । ଅନେକ ଆହତ ହେବା ସହ କିଛି ଅସୁସ୍ଥ ମଧ୍ୟ ହୋଇପଡିଥିଲେ । ଅନ୍ୟପକ୍ଷେ ବିଶ୍ବବିଦ୍ୟାଳୟର କୁଳପତି ନଜମା ଅଖତର ମଧ୍ୟ ପୋଲିସର ଏପରି ହରକତକୁ ନିନ୍ଦା କରିଛନ୍ତି । ଲାଇବ୍ରେରୀରେ ଛାତ୍ର ପଢୁଥିବା ସମୟରେ ପୋଲିସ ଆକ୍ରମଣ କରିଥିବାର ସେ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ 5ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସର କହିବାକଥା, ଛାତ୍ରଛାତ୍ରୀ ଆଗ ପଥର ମାଡ କରିଥିଲେ ତେଣୁ ବାଧ୍ୟ ହୋଇ ପୋଲିସ ବିଶ୍ବବିଦ୍ୟାଳୟ ମଧ୍ୟରେ ପ୍ରବେଶ କରିଥିଲା । ଏହାସହ ବିଶ୍ବବିଦ୍ୟାଳୟରେ ଲୁଚି ରହିଥିବା କିଛି ଅସାମାଜିକ ଲୋକଙ୍କୁ ବାହାର କରିବା ପାଇଁ ଟିୟର ଗ୍ୟାସର ପ୍ରୟୋଗ କରାଯାଇଥିଲା ବୋଲି ପୋଲିସ କହିଛି ।
ତେବେ ଏହି ମାମଲାକୁ ନେଇ ରାଜନୀତି କିନ୍ତୁ ଜୋର ଧରିଛି । ପ୍ରଥମେ ବିଜେପି, ଆପ ସରକାରଙ୍କ ଉପରେ ହିଂସାର ଆରୋପ ଲଗାଇଥିବା ବେଳେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ଭିଡିଓ ଜାରି କରି ବିଜେପି ଓ ପୋଲିସ ଦ୍ବାରା ହିଂସା କରାଯାଉଥିବା ଅଭିଯୋଗ ଆଣିଥିଲା । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି ।