ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ 20ରେ ଗରିବଙ୍କ ପାଇଁ ଆରମ୍ଭ କରିବେ ରୋଜଗାର ଯୋଜନା । ‘ଗରିବ କଲ୍ୟାଣ ରୋଜଗାର ଯୋଜନା’ର ଶୁଭାରମ୍ଭ କରିବେ ମୋଦି । ଏହା ଗରିବଙ୍କ ଜୀବନଜୀବିକାକୁ ସ୍ବଚ୍ଛଳ କରିବା ସହ ଗ୍ରାମାଞ୍ଚଳରେ ରୋଜଗାର ଯୋଗାଇବ ।
ଏହି ଯୋଜନା ଗ୍ରାମାଞ୍ଚଳରେ ରହୁଥିବା ଗରିବଙ୍କୁ ରୋଜଗାର ଯୋଗାଇବା ସହ ସହରାଞ୍ଚଳରେ ପ୍ରବାସୀଙ୍କୁ ଚାକିରୀ ସୁଯୋଗ ଦେବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି ।
125 ଦିନିଆ କ୍ୟାମ୍ପେନିଂରେ 6ଟି ରାଜ୍ୟର 116 ଜିଲ୍ଲାକୁ ସମୀକ୍ଷା କରାଯାଇଥିଲା । ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ପ୍ରବାସୀଙ୍କୁ ସହାୟତା ଯୋଗାଇବା । ପ୍ରାୟ 50 ହଜାର କୋଟିର ବ୍ୟୟ ଅଟକଳରେ ଦେଶର 25ଟି କ୍ଷେତ୍ରରେ ପ୍ରବାସୀଙ୍କୁ ରୋଜଗାର ଯୋଗାଇଦେବା ସହ ଗ୍ରାମାଞ୍ଚଳରେ ଭିତ୍ତିଭୂମୀ ସୃଷ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ପ୍ରାୟ 39 କୋଟି ଲୋକଙ୍କୁ 34 ହଜାର 800କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି । ମାର୍ଚ୍ଚ 26ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଥିଲେ । ଲକଡାଉନ୍ ସମୟରେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଏହି ପ୍ୟାକେଜ ପ୍ରସ୍ତୁତ କରାଯାଇଥିଲା ।