ନୂଆଦିଲ୍ଲୀ: କୋରୋନା କବଳରେ ବିଶ୍ବର ପ୍ରାୟ ସମସ୍ତ ଦେଶ କବଳିତ । ବିଶେଷ କରି ୟୁରୋପରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଏଠାରେ ପ୍ରାୟ ସମସ୍ତ ଦେଶରେ କୋରୋନା ତାଣ୍ଡବ ରଚିଛି । ଇଟାଲୀ, ସ୍ପେନ, ଫ୍ରାନ୍ସ, ସ୍ବିଡେନ, ପର୍ତ୍ତୁଗାଲ ପ୍ରଭୃତି ଦେଶରେ ଏହି ମହାମାରୀ ଅନେକ ଜୀବନ ନେଇସାରିଲାଣି ।
ଏହି ଅବସରରେ ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରୋନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି । ଫ୍ରାନ୍ସରେ କୋଭିଡ 19 ଯୋଗୁଁ ସୃଷ୍ଟି ପରିସ୍ଥିତି ଓ ଏହାର ମୁକାବିଲା ଉପରେ ମୋଦି ପଚାରି ବୁଝିଛନ୍ତି । ଏହାସହ କୋରୋନା ଜନିତ ମୃତ୍ୟୁ ଯୋଗୁଁ ସେ ମାକ୍ରୋନଙ୍କୁ ସମବେଦନା ଜଣାଇଛନ୍ତି । ରୋଗର ମୁକାବିଲା ନେଇ ଉଭୟ ନେତା ଆଲୋଚନା କରିଥିବା ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଫ୍ରାନ୍ସରେ କୋରୋନା ଯୋଗୁଁ ଅବସ୍ଥା ସଙ୍କଟଜନକ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 44 ହଜାର 550 ଥିବାବେଳେ 3024 ଜଣଙ୍କ ମୃତ୍ୟୁ ହୋଇସାରିଛି । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରଙ୍କ ସହ କୋରୋନାର ମୁକାବିଲା ନେଇ ଆଲୋଚନା କରୁଛନ୍ତି । ଏହାସହ ଭାରତର ପଦକ୍ଷେପକୁ ସାରା ବିଶ୍ବ ପ୍ରଶଂସା କରୁଛି । ଏହି ଲଢେଇରେ ଭାରତ ଏକପ୍ରକାର ନେତୃତ୍ବ ନେଉଛି କହିଲେ ଭୁଲ ହେବ ନାହିଁ ।
ସୌଜନ୍ୟ@ANI