ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସରିବ ବିରୋଧୀଦଳ ନେତା ଗୁଲାମନବୀ ଆଜାଦଙ୍କ କାର୍ଯ୍ୟକାଳ । ତାଙ୍କ ପାଇଁ ଉଦ୍ଦିଷ୍ଟ ବିଦାୟୀ ଅଭିଭାଷଣରେ ନିଜ ମନ୍ତବ୍ୟ ରଖି କୋହ ରୋକି ପାରିଲେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗୁଲମନବୀ ଆଜାଦଙ୍କ ବ୍ୟକ୍ତିତ୍ବ କଥା କହିବା ସହ କିପରି ଅନେକ ପ୍ରସଙ୍ଗରେ ଦୁଇ ବନ୍ଧୁ ଆଲୋଚନା କରନ୍ତି ତାହା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କାଶ୍ମୀରରେ ଏକ ଆତଙ୍କବାଦୀ ହମଲା ପ୍ରସଙ୍ଗ ଉଠାଇ କିପରି ଗୁଲାମନବୀ, ମୋଦିଙ୍କୁ ଫୋନ କରି କାନ୍ଦି ପକାଇଥିଲେ ସେ କଥା ମଧ୍ୟ କହିଲେ ପିଏମ୍ । ଏହି ସମୟରେ ନିଜକୁ ସମ୍ଭାଳିନପାରି କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ଗୁଲାମନବୀଙ୍କ କାର୍ଯ୍ୟଶୈଳୀ ତଥା ଅନୁଭବ ଦେଶର କାର୍ଯ୍ୟରେ ଆସିବ । ସେ ଆଗକୁ ଯେଉଁ ସ୍ଥାନରେ ରହିବେ ସେଠାରେ ନିଜର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା କରିବେ ବୋଲି ମୋଦି ଆଶା କରିଥିବା କହିଛନ୍ତି । ଅନ୍ୟପଟେ ତାଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାର ସର୍ବଦା ଖୋଲା ରହିବ ବୋଲି ମଧ୍ୟ ମୋଦି କହିଛନ୍ତି । ସେପଟେ ଗୁଲାମନବୀଙ୍କ ସହିତ ଅନ୍ୟ ତିନି ଜଣ ସାଂସଦଙ୍କ କାର୍ଯ୍ୟକାଳ ସରୁଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କ କାର୍ଯ୍ୟ କରିବା ଶୈଳୀ ଓ ସଂସଦରେ ଅନେକ ପ୍ରସଙ୍ଗ ଉପସ୍ଥାପନାକୁ ମନେପକାଇଛନ୍ତି ।