ନୂଆଦିଲ୍ଲୀ: ମେଘାଳୟର ଗୁମ୍ଫାରେ ଦେଖାଯାଉଥିବା ଏକ ଦୁର୍ଲଭ ଓ ବିରଳ ପ୍ରଜାତିର ମାଛ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି 62 ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ଏହା ଏକ ଆଶ୍ଚର୍ଯ୍ୟଜନକ ଓ ଭାରତୀୟ ଜୈବ ବିବିଧତାର ଅନନ୍ୟ ଉଦାହରଣ ବୋଲି କହିଛନ୍ତି ମୋଦି ।
ପିଏମ ମୋଦି କହିଛନ୍ତି ଯେ, କିଛି ଦିନ ତଳେ ଏହି ପ୍ରଜାତିର ମାଛ ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବାର ସନ୍ଧାନ ମିଳିଥିଲା । ଏଠାରେ ୨୫୦ରୁ ଅଧିକ ପ୍ରଜାତିର ମାଛ ମାଟି ତଳେ ବାସ କରିଥାନ୍ତି। ଏହି ନୂଆ ମାଛ ସେସବୁ ପ୍ରଜାତି ଠାରୁ ଆକାରରେ ୧୦ଗୁଣା ଅଧିକ ବଡ଼ ବୋଲି ଗବେଷକ କହିଥିଲେ ।
ଏଭଳି ଗଭୀର ଏବଂ ଅନ୍ଧାରୁଆ ଗୁମ୍ଫାଗୁଡ଼ିକରେ ବାସ କରୁଛନ୍ତି ଏହି ମାଛ ଯେଉଁଠାରେ ହୁଏତ ଆଲୋକ ମଧ୍ୟ ପହଞ୍ଚିପାରୁନଥିବ ବୋଲି କହିଛନ୍ତି ପିଏମ । ଏତେ ବଡ଼ ମାଛ ଏଭଳି ଗଭୀର ଗୁମ୍ଫାଗୁଡ଼ିକରେ କିଭଳି ବଞ୍ଚିପାରୁଛି ଏକଥାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଭାରତ ଏବଂ ବିଶେଷକରି ମେଘାଳୟ ଗୋଟିଏ ଦୁର୍ଲ୍ଲଭ ପ୍ରଜାତିର ବାସସ୍ଥାନ ହୋଇଥିବା ସେ ସୂଚନା ଦେଇଛନ୍ତି ।
ନ୍ୟାସନାଲ ଜିଓଗ୍ରାଫିକ୍ ସଂସ୍ଥା ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଥିଲା। ମେଘାଳୟର ପୂର୍ବଅଞ୍ଚଳରେ ଥିବା ଓମ୍ଲଡୋ ଗୁମ୍ପାରୁ ଏହି ମାଛ ମିଳିଥିଲା ।