ମନାମା: ବାହାରିନର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସମୟରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ନିଜର ନିବିଡ଼ ବନ୍ଧୁ ଅରୁଣ ଜେଟଲୀଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ନିଧନରେ ଶୋକ ପ୍ରକାଶ କରି ମୋଦି କହିଛନ୍ତି, '' ମୁଁ ଏଠାରେ ବସିଛି ଏବଂ ମୋର ପ୍ରିୟ ବନ୍ଧୁ ଅରୁଣ ଚାଲିଗଲା। ଯାହା ମୁଁ କଳ୍ପନା ମଧ୍ୟ କରି ପାରୁନାହିଁ । ଗୋଟିଏ ପଟେ ମୁଁ ମୋର କର୍ତ୍ତବ୍ୟ ସହ ବନ୍ଧା ହୋଇଛି ଆଉ ଗୋଟିଏ ପଟେ ଭାବନା ସହ । ଯେଉଁ ବନ୍ଧୁ ସହ ସାଧାରଣ ଜୀବନ ଓ ରାଜନୈତିକ ଯାତ୍ରାରେ ପାଦରେ ପାଦ ମିଳାଇ ଚାଲିଥିଲି । ଯାହା ସହ ମିଶି ସ୍ଵପ୍ନ ଦେଖିବା ଏବଂ ତାକୁ ସ୍ଵପ୍ନ ପୂରଣ କରିବା ପାଇଁ ଚାହିଁଥିଲି '' ସେ ଆଜି ଆମ ଗହଣରେ ନାହାନ୍ତି ବୋଲି ଭାବବିହୁଳ ସ୍ଵରରେ କହିଛନ୍ତି ମୋଦି। ଅରୁଣ ଜେଟଲୀଙ୍କ ସହିତ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କୁ ମଧ୍ୟ ମନେ ପକାଇଛନ୍ତି ମୋଦି ।
ତେବେ ବାହାରିନର ପ୍ରବାସୀ ଭାରତୀୟଙ୍କୁ ଜନ୍ମାଷ୍ଟମିର ଶୁଭେଚ୍ଛା ଜଣାଇଛନ୍ତି ମୋଦି । ସେ କହିଛନ୍ତି, ଆଜି ଜନ୍ମାଷ୍ଟମିର ପବିତ୍ର ପର୍ବ । ଏହି ଅବସରରେ ଗଳ୍ଫ କ୍ଷେତ୍ରରେ କୃଷ୍ଣକଥା ଶୁଣିବାର ପୁରୁଣା ପରମ୍ପରା ରହିଛି । ଯାହାକୁ ଆଜି ମଧ୍ୟ ପାଳନ କରାଯାଉଛି । କାଲି ମୁଁ ଶ୍ରୀନାଥ ଜୀଙ୍କ ମନ୍ଦିର ଯାଇ ଆପଣ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବି ବୋଲି ସେ କହିଛନ୍ତି । ପ୍ରବାସୀ ଭାରତୀୟଙ୍କୁ ଭେଟିବା ପରେ ନିଜ ଖୁସି ବ୍ୟକ୍ତ କରି ମୋଦି କହିଛନ୍ତି, ମୋର ବାହାରିନ ଯାତ୍ରା ସରକାରର ମୁଖ୍ୟ ଭାବରେ ହୋଇଥିଲେ ମଧ୍ୟ ମୋର ମୁଖ୍ୟ ଉଦ୍ଦେଶ୍ୟ ଏଠାରେ ଥିବା ଭାରତୀୟଙ୍କୁ ଭେଟିବା ଏବଂ ମୋର ଲକ୍ଷାଧିକ ବନ୍ଧୁଙ୍କ ସହ ମିଳନ।
ଦେଶର ପ୍ରମୁଖ ଉପଲବ୍ଧି ବଖାଣି ଚନ୍ଦ୍ରଯାନ-2 ସମ୍ପର୍କରେ କହିଛନ୍ତି ମୋଦି । ସେପ୍ଟେମ୍ବର 7ରେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିବାକୁ ଯାଉଛି। ଇସ୍ରୋ ପକ୍ଷରୁ କରାଯାଇଥିବା ଏହି ସ୍ପେସ୍ ମିଶନକୁ ପୁରା ବିଶ୍ବରେ ପ୍ରଶଂସା କରାଯାଉଛି। ସ୍ବଦେଶୀ ଜ୍ଞାନ କୌଶଳର ଉପଯୋଗ କରି ଖୁବ୍ କମ ଅର୍ଥରେ ଆମେ କିପରି ଏହାକୁ ସମ୍ଭବ କରିପାରୁଛୁ ସେନେଇ ଦୁନିଆ ଚକିତ ହୋଇଛି ବୋଲି ମୋଦି କହିଛନ୍ତି । ଭାରତର ଅର୍ଥ ବ୍ୟବସ୍ଥାକୁ 5 ଟ୍ରିଲିୟନ ଡଲାର କରିବାର ନିଜର ସ୍ବପ୍ନକୁ ମଧ୍ୟ ପ୍ରବାସି ଭାରତୀୟଙ୍କ ସାମ୍ନାରେ ରଖିଛନ୍ତି ମୋଦି ।