ନୂଆଦିଲ୍ଲୀ: ମସଜିଦ ନିର୍ମାଣ ପାଇଁ ସ୍ଥାପିତ ଅଯୋଧ୍ୟା ମସଜିଦ ଟ୍ରଷ୍ଟରେ ଜଣେ ସରକାରୀ ସଦସ୍ୟ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ମାଗି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ହିନ୍ଦୁ ପକ୍ଷର ଜଣେ ଆଇଜୀବୀଙ୍କ ପକ୍ଷରୁ ରାମଜନ୍ମଭୂମି ମାମଲାରେ ଲଢିଥିବା ଆଇନଜୀବୀ ବିଷ୍ଣୁ ଜୈନଙ୍କ ଜରିଆରେ ଏହି ପିଟିସନ ଦାଖଲ କରାଯାଇଥିବା ଜଣାପଡିଛି ।
ସମ୍ବିଧାନର ଧାରା 142 ଅନୁଯାୟୀ ସର୍ବୋଚ୍ଚ ଅଦାଲତ ସୁନ୍ନି ସେଣ୍ଟ୍ରାଲ ୱାକ୍ଫ ବୋର୍ଡକୁ ପାଞ୍ଚ ଏକର ଜମି ପ୍ରଦାନ କରିଛନ୍ତି। ଉତ୍ତର ପ୍ରଦେଶ ସରକାର ସର୍ବୋଚ୍ଚ ଅଦାଲତର ରାୟ ଅନୁଯାୟୀ ୱାକ୍ଫ ବୋର୍ଡକୁ 5 ଏକର ଜମି ବଣ୍ଟନ କରିଛନ୍ତି। ତେବେ ୱାକ୍ଫ ବୋର୍ଡ ଜୁଲାଇ 29ରେ 'ଇଣ୍ଡୋ ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ' ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ଘୋଷଣା କରିଥିଲା, ଯେଉଁଠାରେ ଏକ ମସଜିଦ, ସାଂସ୍କୃତିକ ତଥା ଅନୁସନ୍ଧାନ କେନ୍ଦ୍ର ଏବଂ ଜନ ଉପଯୋଗୀ ସୁବିଧା ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ଟ୍ରଷ୍ଟ ପରି ସରକାରଙ୍କ କୌଣସି ଅଧିକାରୀଙ୍କୁ ମନୋନୀତ କରିବାର ବ୍ୟବସ୍ଥା ନାହିଁ। ତେବେ 'ଇସଲାମିକ୍ ଟ୍ରଷ୍ଟ'ର ଏହି ସ୍ଥାନକୁ ଶହ ଶହ ଲୋକ ପରିଦର୍ଶନ କରିବାକୁ ଆସିବେ ଏବଂ ଏହା ଭାରତ ତଥା ବିଦେଶରୁ ମଧ୍ୟ ଅନୁଦାନ ପାଇବ ବୋଲି ଆବେଦନରେ ଦର୍ଶାଯାଇଛି ।
ଆବେଦନକାରୀମାନେ ଯୁକ୍ତି ବାଢିଛନ୍ତି ଯେ ଅଯୋଧ୍ୟାରେ ଶାନ୍ତି ରହିବା ଉଚିତ ଏବଂ ପାଣ୍ଠି ଓ ଇସଲାମିକ ଟ୍ରଷ୍ଟରେ ଥିବା ସମ୍ପତ୍ତିର ସଠିକ ପରିଚାଳନା ହେବା ଆବଶ୍ୟକ।