ହାଇଦ୍ରାବାଦ: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ନିକଟରେ ଜାତୀୟ ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟ (୨୦୧୭-୧୯) ଉନ୍ମୋଚନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଥିବା ପ୍ରସଙ୍ଗ ଏବେ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ଓ ଆହ୍ବାନକୁ ଉପସ୍ଥାପନ କରୁଛି। ଏସବୁ ଆହ୍ବାନ, ଆମ ଦେଶରେ ଜଙ୍ଗଲ ପରିମିତ ବୃଦ୍ଧି ତଥା ସଂରକ୍ଷଣ ଭିତ୍ତିକରି ଆମେ ନେଇଥିବା ବିଭିନ୍ନ ସଂକଳ୍ପକୁ କେନ୍ଦ୍ରକରି ସୃଷ୍ଟି ହୋଇଛି। ସତରେ କ’ଣ ଆମେ ୨୦୧୫ ପ୍ୟାରିସ୍ ଚୁକ୍ତିନାମାକୁ ପାଳନ କରିବା ପଥରେ ଅଗ୍ରସର ହେଉଛୁ? ସତରେ କ’ଣ ଦେଶରେ ସବୁଜ ବଳୟ ବଢ଼ୁଛି? ଏହିଭଳି ଅଗ୍ରଗତି କ’ଣ ଆମକୁ ଭବିଷ୍ୟତର ଅଙ୍ଗାରକାମ୍ଳ ଜନିତ ଭୟକୁ ପ୍ରଶମିତ କରିପାରିବ… ଏମିତି।୨୦୧୫ ମସିହାରେ ସ୍ଵାକ୍ଷର ହୋଇଥିବା ପ୍ୟାରିସ୍ ରାଜିନାମାରେ ଏକ ମୁଖ୍ୟ ଅଂଶଗ୍ରହଣକାରୀ ରାଷ୍ଟ୍ରଭାବେ ଭାରତ ସଂକଳ୍ପ କରିଥିଲା ଯେ, ଭାରତ ନିଜ ଦେଶରେ ସବୁଜ ବଳୟକୁ ଏମିତି ବୃଦ୍ଧି କରିବାକୁ ସଂକଳ୍ପ ନେଉଛି ଯାହା ଦ୍ଵାରା ୨୦୩୦ ବେଳକୁ ଏହି ଦେଶ ୨୫୦ରୁ ୩୦୦ ମିଲିୟନ୍ ଟନ୍ ଅଙ୍ଗାରକାମ୍ଳ ଏବଂ ଅନ୍ୟ ପ୍ରଦୂଷଣକାରୀ ଉପାଦାନ ପ୍ରଭାବକୁ ପ୍ରଶମିତ କରିବାରେ ସକ୍ଷମ ହୋଇପାରିବ।
ଏବେ ନିକଟରେ ଉନ୍ମୋଚନ ହୋଇଥିବା ସର୍ବେକ୍ଷଣ କଥା। ଏଥିରେ କୁହାଯାଇଛି ଯେ, ଗଲା ଦୁଇବର୍ଷ ଭିତରେ ଦେଶର ଜଙ୍ଗଲ ଅଞ୍ଚଳରେ ୦.୫୬ ପ୍ରତିଶତ ବୃଦ୍ଧି ହୋଇଛି। ରିପୋର୍ଟର ଏହି ସାରାଂଶକୁ ଦେଖି କେନ୍ଦ୍ରମନ୍ତ୍ରୀ ଜାଭେଦକର ବେଶ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଆମେ ଏହି ନୀତିରେ ଆଗକୁ ଚାଲିଲେ ପ୍ୟାରିସ ରାଜିନାମାର ଲକ୍ଷ୍ୟସ୍ଥଳକୁ ହାସଲ କରିବା ଅସମ୍ଭବ ହେବ ନାହିଁ। ଆମେ ବିନା ଫେଲରେ ଏହି ପ୍ରତିବଦ୍ଧତାକୁ ପ୍ରମାଣିତ କରିପାରିବା। ଅନ୍ୟପକ୍ଷରେ ଏହି ରିପୋର୍ଟ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ଜଙ୍ଗଲ ହ୍ରାସ ବିଷୟକୁ ବର୍ଣ୍ଣନା କରୁଛି। ଏହା ମଧ୍ୟରେ ଅନେକ ଦଶନ୍ଧି ବିତିଗଲାଣି ଆମେ ଦେଶର ୩୩ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ପରିବେଷ୍ଟନୀ ସୃଷ୍ଟି କରିବାରେ ବିଫଳ ହୋଇଛୁ। ଏ ଭିତରେ ଜାତୀୟ ସ୍ତରରେ ଜଙ୍ଗଲ ସଂରକ୍ଷଣ ତଥା ବିସ୍ତୃତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଢାଞ୍ଚାକୁ ମଧ୍ୟ ଅନେକ ବର୍ଷ ବିତିଲାଣି, ହେଲେ ଆମେ ସ୍ଵପ୍ନଠୁ ଅନେକ ଦୂରରେ ରହିଛୁ। ଏଣୁ ଏଭଳି ଏକ ପରିସ୍ଥିତିରେ କ୍ଷତିକାରକ ଅଙ୍ଗାରକାମ୍ଳ ପ୍ରଭାବକୁ ସୀମିତ କରିବା ଲକ୍ଷ୍ୟରେ ଏବେକାର ନୂଆ ଜଙ୍ଗଲ ସୃଷ୍ଟି ପ୍ରସଙ୍ଗ ଏକ ବିତର୍କର ବିଷୟ ହୋଇ ରହିଛି।
ଅପହଞ୍ଚ ଲକ୍ଷ୍ୟ ସ୍ଥିର
ଜଙ୍ଗଲ ଆମକୁ ଯେ, ଖାଲି ନିର୍ମଳ ପବନ ଦିଏ ତା’ ନୁହେଁ, ମାନବ ସମାଜକୁ ଆବଶ୍ୟକ ଖାଦ୍ୟ ଓ ପାନୀୟ ଯୋଗାଣରେ ଜଙ୍ଗଲର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଜଳବାୟୁ ପରିବର୍ତ୍ତନ, ହାନିକାରକ ଅଙ୍ଗାରକାମ୍ଳର ପ୍ରଭାବ ହ୍ରାସ ଓ ଭୂତଳ ଜଳସ୍ତର ବୃଦ୍ଧିରେ ଜଙ୍ଗଲର ଉଲ୍ଲେଖନୀୟ ଭୂମିକା ରହିଛି। ସେହିପରି ଜଙ୍ଗଲ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟେକ୍ଷ ହେଉ ବା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ୧୯୫୨ ମସିହାରେ ଦେଶରେ ଜଙ୍ଗଲ ପରିବେଷ୍ଟନୀ ବିଷୟରେ ସମୀକ୍ଷା କରି ନୀତି ନିର୍ଦ୍ଧାରକ ଆକଳନ କରିଥିଲେ ଯେ, ଦେଶର ସମୁଦାୟ ଭୂପୃଷ୍ଠର ଅତି କମରେ ୩୩ ପ୍ରତିଶତ ଜଙ୍ଗଲ ପରିବେଷ୍ଟନୀ ରହିବା ଆବଶ୍ୟକ। ଏହି ନିର୍ଦ୍ଧାରଣକୁ ହାସଲ କରିବା ପାଇଁ ଏକ ସ୍ଵତନ୍ତ୍ର ଜଙ୍ଗଲ ନୀତି ମଧ୍ୟ ପ୍ରଣୟନ ହୋଇଥିଲା। ହେଲେ ଏତେ ବର୍ଷ ପରେ ମଧ୍ୟ ତାହା ଆମ ପାଇଁ ଅପହଞ୍ଚ ହୋଇ ରହିଛି। ଜାତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାନ ପ୍ରତି ଦୁଇବର୍ଷରେ ଥରେ ଦେଶରେ ଜଙ୍ଗଲ ପରିବେଷ୍ଟନୀର ଆକଳନ କରିଥାଏ। ଏଥିଲାଗି ଉପଗ୍ରହରୁ ମିଳିଥିବା ଫଟୋଚିତ୍ରକୁ ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରାଯାଇଥାଏ। ଏହି ପ୍ରତିଷ୍ଠାନର ରିପୋର୍ଟ ଅନୁସାରେ ଏବେ ଦେଶର ୨୧.୭ ପ୍ରତିଶତ ଅର୍ଥାତ୍ ୭,୧୨,୨୪୯ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଜଙ୍ଗଲ ପରିବେଷ୍ଟନୀ ରହିଛି। ୨୦୧୭ ମସିହାରେ ଏହା ୨୧.୫୪ ପ୍ରତିଶତ ଥିଲା। ଅର୍ଥାତ୍ ଏହି ଦୁଇ ବର୍ଷରେ ଦେଶର ଜଙ୍ଗଲ ପରିବେଷ୍ଟନୀରେ ୦.୫୬ ପ୍ରତିଶତ ଉନ୍ନତି ହୋଇଛି।
୨୦୧୧ରେ ସମୁଦାୟ ଜଙ୍ଗଲ ପରିବେଷ୍ଟନୀ ୬,୯୨୦୨୭ ବର୍ଗ କିଲୋମିଟର ଥିଲା। ଅର୍ଥାତ୍ ଗଲା ଦଶନ୍ଧି ଭିତରେ ଜଙ୍ଗଲ ପରିବେଷ୍ଟନୀ ମାତ୍ର ୨୦,୨୨୨ ବର୍ଗ କିଲୋମିଟର ବୃଦ୍ଧି ପାଇଛି। ଏହା ମାତ୍ର ୩ ପ୍ରତିଶତ। ଯଦିଓ ଏହା ଏକ ବିଶାଳ ବିକାଶ କିନ୍ତୁ ସନ୍ଦେହ ରହିଛି ଯେ, ଯେଉଁ ଜଙ୍ଗଲ ବଢ଼ିଥିବା କୁହାଯାଉଛି ତାହା କେଉଁ କିସମର ଜଙ୍ଗଲ। ସାଧାରଣ ଭାବେ ଦେଖିବାକୁ ଗଲେ ଘଞ୍ଚ ଜଙ୍ଗଲ ସମୁଦାୟ ସ୍ଥଳ ଭାଗର ୩,୦୮, ୪୭୨ ବର୍ଗ କିଲୋମିଟର ରହିଥାଏ। ଏହାବାଦ ୯.୨୬ ପ୍ରତିଶତ ଜଙ୍ଗଲ ବା ପ୍ରାୟ ୩,୦୪୪୯୯ ବର୍ଗ କିଲୋମିଟର ଜଙ୍ଗଲ ବାଣିଜ୍ୟିକ ବଗିଚା ହୋଇଥାଏ। ସେଥିରେ ବାଉଁଶ, କଫି ପ୍ରଭୃତି ଚାଷ ଦେଖିବାକୁ ମିଳେ। ବିଗତ ଦଶନ୍ଧିରେ ଏହି ଜଙ୍ଗଲ ପରିବେଷ୍ଟନୀ ସମ୍ପର୍କରେ ପ୍ରସ୍ତୁତ ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ କଫି ଓ ବାଉଁଶ ଚାଷ କରାଯାଉଥିବା ବାଣିଜ୍ୟିକ ଜଙ୍ଗଲ ପରିବେଷ୍ଟନୀ ମାତ୍ରାରେ ୫.୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମଧ୍ୟ ଘଞ୍ଚ ଜଙ୍ଗଲ ପରିବେଷ୍ଟନୀରେ ୩.୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି।
୨୦୧୧ ମସିହାରେ ଏହିପରି ମଧ୍ୟମ ଘଞ୍ଚ ଜଙ୍ଗଲ ଦେଶର ୩, ୨୦ ୭୩୬ ବର୍ଗ କିଲୋମିଟର ଅଞ୍ଚଳରେ ଦେଖା ଯାଇଥିବା ବେଳେ ସଦ୍ୟ ପ୍ରକାଶିତ ରିପୋର୍ଟରେ ତାହା ୩,୦୮,୪୭୨ ବର୍ଗ କିଲୋମିଟରକୁ ଖସି ଆସିଛି। ସାଧାରଣତଃ ଯଦି ଗୋଟିଏ ହେକ୍ଟର ଜମିର ୭୦ ପ୍ରତିଶତ ଅଞ୍ଚଳ ସବୁଜ ତଥା ଗଛ ଦ୍ଵାରା ପରିବେଷ୍ଟିତ ହୋଇଥାଏ ତାହାକୁ ଘଞ୍ଚ ଜଙ୍ଗଲ ବୋଲି କୁହାଯାଏ। ଅଙ୍ଗାରକାମ୍ଳ ବା କାର୍ବନ ମନୋକ୍ସାଇଡ୍ ଦ୍ଵାରା କୁପ୍ରଭାବକୁ ପ୍ରତିହତ କରିବାରେ ଏଭଳି ଜଙ୍ଗଲ କିସମର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଭାରତରେ ଏହି ପ୍ରକାର ଜଙ୍ଗଲର ଅଂଶ ହେଉଛି ସମୁଦାୟ ସ୍ଥଳଭାଗର ୩ ପ୍ରତିଶତ ବା ୯୯୨୭୮ ବର୍ଗ କିଲୋମିଟର। ଏହି ପ୍ରକାର ଜଙ୍ଗଲରେ ସାଧାରଣତଃ ୧-୧୪ ପ୍ରତିଶତ ବିକାଶ ଲକ୍ଷ୍ୟ କରାଯାଇଥାଏ। ସଦ୍ୟ ପ୍ରକାଶିତ ୨୦୧୭-୨୦୧୯ ରିପୋର୍ଟ ଅନୁସାରେ ଏହି ପ୍ରକାର ଜଙ୍ଗଲର ବିକାଶ ହାର ହେଉଛି ୧୪ ପ୍ରତିଶତ।
ଏଥିରୁ ୧୦୨୫ ବର୍ଗ କିଲୋମିଟର କର୍ଣ୍ଣାଟକରେ ରହିଥିବାବେଳେ ୯୯୦ ବର୍ଗ କିଲୋମିଟର ଆନ୍ଧ୍ରପ୍ରଦେଶରେ, ୮୨୩ ବର୍ଗ କିଲୋମିଟର କେରଳରେ, ୩୭୧ ବର୍ଗ କିଲୋମିଟର ଜାମ୍ମୁ ଓ କାଶ୍ମୀରରେ ଏବଂ ୩୪୪ ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ ହିମାଚଳ ପ୍ରଦେଶରେ ରହିଛି। ଏହି ୫ଟି ରାଜ୍ୟ ଭାରତ ବର୍ଷରେ ସବୁଠାରୁ ଅଧିକ ବନୀକରଣ କରିପାରୁଥିବା ରାଜ୍ୟ ଭାବେ ଚିହ୍ନିତ ହୋଇଛନ୍ତି। ଦେଶରେ ଜଙ୍ଗଲ ପରିବେଷ୍ଟନୀ ବାବଦରେ ଉପଗ୍ରହ ଚିତ୍ରରୁ ଯେଉଁ ଆକଳନ କରି ତଥ୍ୟ ଉପସ୍ଥାପନ କରାଯାଉଛି ତାହାକୁ ନେଇ ଅନେକ ସନ୍ଦେହ ରହିଛି। ନିୟମ ଅନୁସାରେ ଯଦି କୌଣସି ଅଞ୍ଚଳର ୧୦ ପ୍ରତିଶତ ଅଞ୍ଚଳରେ ସବୁଜିମା ଦେଖାଯାଏ ତେବେ ସେହି ଅଞ୍ଚଳକୁ ଜଙ୍ଗଲ ବୋଲି ଚିହ୍ନିତ କରାଯାଏ। ଅପରପକ୍ଷେ ଦେଖିବାକୁ ଗଲେ ବାଣିଜ୍ୟିକ ଫାଇଦା ପାଇଁ ଚାଷ କରାଯାଉଥିବା ଆମ୍ବ, କଫି, ଇଉକାଲିପଟାସ, ନଡ଼ିଆ ପ୍ରଭୃତି ଗଛର ପରିବେଷ୍ଟନୀ ମଧ୍ୟ ଉପଗ୍ରହ ଚିତ୍ରରେ ଜଙ୍ଗଲ ଆଖ୍ୟା ଗ୍ରହଣ କରେ। ଏଭଳି ହିସାବକୁ ଦେଖିଲେ ଉପଗ୍ରହ ଚିତ୍ର ଆଧାରରେ ଜଙ୍ଗଲ ଆକଳନ କରାଯାଇଥିବା ନେଇ ଅନେକ ସନ୍ଦେହ ଉପୁଜିବା ସ୍ଵଭାବିକ।
କାମ୍ପା ଉପରେ ଭରସା
ଜଙ୍ଗଲ ସୁରକ୍ଷା ଆଇନ ୧୯୮୦ ଅନୁସାରେ ଆମ ଦେଶରେ ଜଙ୍ଗଲ ଅବକ୍ଷୟକୁ ରୋକିବା ତଥା ନୂଆ ଜଙ୍ଗଲ ସୃଷ୍ଟି ପାଇଁ ସମୟୋପଯୋଗୀ ପଦକ୍ଷେପ ନିଆଯାଉଛି। ଅଣ ଜଙ୍ଗଲ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ନିର୍ଦ୍ଧାରିତ ପଦକ୍ଷେପ ନିଆଯାଉଛି। ଏହି ଅନୁସାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଗଛ ଲଗାଯାଉଛି ଓ ବନୀକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶ୍ଵବ୍ୟାଙ୍କ ରିପୋର୍ଟ ଅନୁସାରେ ୧୯୮୦ରୁ ୨୦୧୬ ମସିହା ଭିତରେ ଦେଶର ୨୨, ୨୩, ୦୦୦ ଏକର ଜମିକୁ ଅଣ ଜଙ୍ଗଲ ପ୍ରକଳ୍ପ ପାଇଁ ହସ୍ତାନ୍ତର କରାଯାଇଛି। ଏହା ସମୁଦାୟ ଜଙ୍ଗଲ ଜମିର ୧.୨ ପ୍ରତିଶତ। ନିୟମ ଅନୁସାରେ ଏହି ଜମିର ସମତୁଲ୍ୟ ଜମିକୁ ବିକଳ୍ପ ଜଙ୍ଗଲ ସୃଷ୍ଟି ପାଇଁ ବ୍ୟବହାର କରାଯିବା ଆବଶ୍ୟକ। ହେଲେ ଜଙ୍ଗଲ ସର୍ବେକ୍ଷଣ ପ୍ରତିଷ୍ଠାନ ଏଭଳି ନୂଆ କେତେ ଜଙ୍ଗଲ ସୃଷ୍ଟି ହୋଇଛି ସେ ବାବଦରେ ଗବେଷଣା କରିଛନ୍ତି ନା ନାହିଁ ତାହା ଜଣାପଡ଼ିନାହିଁ। ଅପରପକ୍ଷେ କାମ୍ପା ପାଣ୍ଠିକୁ ବିନିଯୋଗ କରି ନୂଆ ଜଙ୍ଗଲ ସୃଷ୍ଟିର ଅନେକ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଛି। ଜାତୀୟ ପ୍ରତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ (କାମ୍ପା), ୨୦୦୯ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଗଢ଼ାଯାଇଥିବା ଏକ ସ୍ଵତନ୍ତ୍ର ପାଣ୍ଠି।
ଯାହାର ଲକ୍ଷ୍ୟ ହେଉଛି ବିଭିନ୍ନ ଅଣ ଜଙ୍ଗଲ କାର୍ଯ୍ୟ ଯେମିତି ଶିଳ୍ପ, ଜଳସେଚନ ପ୍ରକଳ୍ପ ଲାଗି ଆବଶ୍ୟକ ଜମି ଯୋଗାଣ ବେଳେ ଯେଉଁ ଜଙ୍ଗଲ କଟାଯାଉଛି ତାହାର ପ୍ରତିପୂରକ ଭାବେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପାଣ୍ଠି ସଂଗ୍ରହ ଓ ଏହାର ପରିଚାଳନା କରିବା। ହେଲେ ବାସ୍ତବ ପରିସ୍ଥିତିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଏହି ପାଣ୍ଠିକୁ ଜଙ୍ଗଲ ସୃଷ୍ଟି ନୁହେଁ ସରକାରୀ କର୍ତ୍ତୃପକ୍ଷ ଅନ୍ୟ କାର୍ଯ୍ୟରେ ଅଧିକ ବ୍ୟବହାର କରନ୍ତି। ଏହାକୁ ଲକ୍ଷ୍ୟ କରି ଭାରତର ମହାଲେଖାକାର (ସିଏଜି) ଅନେକ ଥର ମନ୍ତବ୍ୟ ଦେଇଛନ୍ତି। ବାରମ୍ବାର ସିଏଜିଙ୍କ ଉଦ୍ବେଗ ତଥା ହସ୍ତକ୍ଷେପ ଶେଷରେ ସରକାରଙ୍କୁ ଏହି ନିୟମକୁ ୨୦୧୬ ମସିହାରେ ରାଜ୍ୟସଭାରେ ପାରିତ କରି ଏକ ଆଇନରେ ରୂପାନ୍ତରିତ କରିବା ପାଇଁ ବାଧ୍ୟ କରିଛି। ଗତବର୍ଷ ସୁପ୍ରିମକୋର୍ଟ ଏ ବାବଦରେ ବିଚାର କରି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରକଳ୍ପ ବାବଦରେ ଆଦାୟ ହୋଇଥିବା ତଥା ଖର୍ଚ୍ଚ ନହୋଇ ପଡ଼ି ରହିଥିବା ୫୪ ହଜାର କୋଟି ଟଙ୍କା କାମ୍ପା ପାଣ୍ଠିକୁ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହାପରେ ୨୭ଟି ରାଜ୍ୟକୁ ୪୭ ହକାର କୋଟି ଟଙ୍କା କାମ୍ପା ପାଣ୍ଠି ଆବଣ୍ଟିତ କରିଥିଲେ। ଏହି ପାଣ୍ଠିକୁ ବ୍ୟବହାର କରି ଅଣ ଜଙ୍ଗଲ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ଅନେକ ପ୍ରତିଶ୍ରୁତି ମୂଳକ ପଦକ୍ଷେପ ଦେଖିବାକୁ ମିଳିଛି। ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟ ବ୍ୟାପକ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୫ ବର୍ଷ ଭିତରେ ତେଲେଙ୍ଗାନା ଜଙ୍ଗଲ ଓ ସାମାଜିକ ବନୀକରଣ ଯୋଜନାରେ ୨୩୦ ଲକ୍ଷ ଚାରା ରୋପଣ କରିବା ଲକ୍ଷ୍ୟ ରଖିଛି। ଏହା ପାଇଁ ପ୍ରତି ଦୁଇ ଗାଁରୁ ଗୋଟିଏରେ ନର୍ସରୀ ସ୍ଥାପନ ଲକ୍ଷ୍ୟ ରହିଛି। ଏଥିନେଇ ଏକ ସ୍ଵତନ୍ତ୍ର ଯୋଜନା ରୂପାୟନ ହୋଇଛି ଯାହାର ନାଁ ରହିଛି ‘ହରିତ-ହାରମ’। ଏହି ସବୁ ଚାରା ରୋପଣର ଉଦ୍ଦେଶ୍ୟ ଭିନ୍ନଭିନ୍ନ ରହିଛି। କେଉଁଠାରେ ଛାଇ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଆଉ କେଉଁଠି ଫୁଲ, ଫଳ ପାଇବା ଲକ୍ଷ୍ୟ ରହିଛି। ପୁଣି ଅନେକ ସ୍ଥାନରେ ଔଷଧୀୟ ଚାରା ରୋପଣ ଲକ୍ଷ୍ୟ ରହିଛି।
ସେହିଭଳି ଆନ୍ଧ୍ରପ୍ରଦେଶ ସରକାର‘ବନମ୍-ମନମ୍’ ନାମରେ ଏକ ସ୍ଵତନ୍ତ୍ର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପରେ ଲକ୍ଷ୍ୟ ରଖାଯାଇଛି ଯେ, ୨୦୨୯ ସୁଦ୍ଧା ରାଜ୍ୟର ସମୁଦାୟ ସ୍ଥଳଭାଗର ୫୦ ପ୍ରତିଶତକୁ ଜଙ୍ଗଲ ପରିବେଷ୍ଟନୀ ଭୁକ୍ତ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ଲାଗି ସରକାର ଅନେକ ସଂଖ୍ୟା ଚାରା ସୃଷ୍ଟି ଓ ଜଙ୍ଗଲ ସଂରକ୍ଷଣ ଯୋଜନା ରୂପାୟନ କରିଛନ୍ତି। ପ୍ରଶ୍ନ ଉଠୁଛି, ଜଙ୍ଗଲ ସୃଷ୍ଟି ଓ ସଂରକ୍ଷଣ ଲାଗି ଆମେ ଲକ୍ଷ୍ୟ ରଖିଥିବାବେଳେ ଦୀର୍ଘ ଦିନ ହେଲା ଜଙ୍ଗଲ ବିଭାଗରେ ଖାଲିପଡ଼ିଥିବା ପଦବୀସବୁ ପୂରଣ କାହିଁକି ହୋଇପାରୁ ନାହିଁ?
ଆନ୍ଧ୍ର ପ୍ରଦେଶରେ ଅନ୍ୟ ଆହ୍ବାନ ଭିତରେ ରହିଛି ଜମିର ଉର୍ବରତା ହ୍ରାସ। ଅନେକ ସଂଖ୍ୟରେ ପୋଡ଼ୁ ଚାଷ ହେବା ଦ୍ଵାରା ଜମିର ଉପର ମାଟି ନଷ୍ଟ ହେଉଛି। ଏହି ପ୍ରକାର ବିପର୍ଯ୍ୟୟରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଆମେ ଜଙ୍ଗଲ ଭିତରେ ଗଭୀର ଖାଇ ଖୋଳି ରକ୍ଷା କରିପାରିବା। ଯେଉଁ ଅଞ୍ଚଳରେ ଜଙ୍ଗଲ ଜମିକୁ ଜବରଦଖଲ କରାଯାଇଛି ତାହାକୁ ମୁକ୍ତ କରାଯିବା ଆବଶ୍ୟକ। ଯେଉଁ ଅଞ୍ଚଳରେ ଜଙ୍ଗଲ ଅବକ୍ଷୟ ହେଉଛି ସେହି ସ୍ଥାନରେ ବ୍ୟାପକ ପଦକ୍ଷେପ ଗ୍ରହଣ ଆବଶ୍ୟକ। ସ୍କୁଲ୍ ଓ କଲେଜ ପାଠ୍ୟକ୍ରମରେ ଚାରା ରୋପଣ ଓ ତାହାକୁ ଯତ୍ନ ନେବା କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଏଥିଲାଗି ମାର୍କ ବ୍ୟବସ୍ଥା ବି କରାଯିବା ଆବଶ୍ୟକ। ଖାଲି ଗଛ ଲଗାଇଦେଲେ ଚଳିବନି, ଟେକ୍ନୋଲୋଜି ତଥା ଜିଓ ଟ୍ୟାଗିଂ ବ୍ୟବସ୍ଥାକୁ ଉପଯୋଗ କରି ସମ୍ପୃକ୍ତ ଚାରା ରୋପଣର ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ଆବଶ୍ୟକ। ଘରୋଇ ଜମି ଗୁଡ଼ିକରେ ଗଛ ଲଗାଇବା ପାଇଁ ଆବଶ୍ୟକ ପରିମାଣରେ ଚାରା ରୋପଣ କରାଯିବା ଆବଶ୍ୟକ। ଏହି ଚାରାକୁ ପରବର୍ତ୍ତୀ ସମୟରେ ରୋଜଗାରକାରୀ ଅମଳ ଯେପରି ଦେବ ସେହି ଅନୁସାରେ ଚୟନ କରାଯିବା ଉଚିତ। ଏହାଦ୍ଵାରା ଘରୋଇ ଜମିରେ ଜଙ୍ଗଲ ସୃଷ୍ଟି ସହଜ ହୋଇପାରିବ।
ଜଙ୍ଗଲ ନିଆଁରୁ ଶିକ୍ଷା
ଗତ କିଛିମାସ ହେଲା ଅଷ୍ଟ୍ରେଲୀୟ ଜଙ୍ଗଲରେ ଲାଗିଥିବା ନିଆଁ ସମଗ୍ର ବିଶ୍ଵରେ ଉଦବେଗର କାରଣ ସାଜିଛି। ଅନେକ ଚେଷ୍ଟା ସତ୍ତ୍ବେ ଅନିୟନ୍ତ୍ରିତ ହୋଇପଡ଼ିଥିବା ଏହି ଜଙ୍ଗଲ ନିଆଁ ଆମକୁ ତାପମାତ୍ରା ବୃଦ୍ଧିର ଭୟାବହ ପରିଣାମ ସମ୍ପର୍କରେ ଜଣାଇ ଦେଉଛି। କେବଳ ସବୁଜ ବଳୟକୁ ବୃଦ୍ଧି କରିବା ଦ୍ଵାରା ହିଁ ଆମେ ଏଭଳି ଭବିଷ୍ୟତର ଭୟାବହତାକୁ ମୁକାବିଲା କରିପାରିବା। ଏହି ଜଙ୍ଗଲ ନିଆଁ ଖାଲି ସାଧାରଣ ଜୀବନଯାପନକୁ ସେ ଦେଶରେ ବ୍ୟାହତ କରୁଛି ତାହା ନୁହେଁ, ସମଗ୍ର ପ୍ରାଣୀ ସମାଜ ତଥା ବନ୍ୟପ୍ରାଣୀଙ୍କୁ ମଧ୍ୟ ଏହା ଆତଙ୍କିତ କରିଛି। ଏହା ମଧ୍ୟରେ ଅନେକ ସଂଖ୍ୟାରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଲାଣି। କିଏ ପ୍ରାଣ ବିକଳରେ ନିଜକୁ ରକ୍ଷା କରିବା ପାଇଁ ଅନ୍ୟଆଡ଼େ ଚାଲି ଯାଇଥିଲେ ମଧ୍ୟ ସେଠାରେ ତାହାର ମୃତ୍ୟୁ ହେଉଛି। ପୁଣି ନିଆଁ ଦ୍ଵାରା ଆଘାତ ପାଇଥିବା ପ୍ରାଣୀ ନିଆଁରୁ ବର୍ତ୍ତିଗଲେ ବି ଜୀବନ ବଞ୍ଚାଇପାରୁ ନାହାଁନ୍ତି। ଗତ ୧୦ ବର୍ଷ ଭିତରେ ହାରାହାରି ତାପମାତ୍ରାରେ ୧ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇଛି।
ତାପମାତ୍ରା ବଢ଼ିବା ଦେଶରେ ବାରମ୍ବାର ମରୁଡ଼ିକୁ ବୟାନ କରୁଛି। ଗଲା ସପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ଜଙ୍ଗଲ ପୋଡ଼ି ଦ୍ଵାରା ସାରା ଅଷ୍ଟ୍ରେଲିଆ କ୍ଷତିଗ୍ରସ୍ତ ହୋଇଛି। ପ୍ରତି ଘଣ୍ଟାରେ ଏଠାରେ ଗରମ ପବନ ବହୁଛି। ଏହି ଅସହ୍ୟ ଗରମ ଦ୍ଵାରା ୨୪ ଜଣ ବେସାମରିକ ଲୋକଙ୍କ ମୃତ୍ୟୁ ଘଟିଛି। ନ୍ୟୁ ସାଉଥ୍ଓ୍ବେଲ୍ସ ରାଜ୍ୟରେ ଥିବା ୧୩୦୦ ଘର ଜଳି ପୋଡ଼ି ପାଉଁଶ ହୋଇ ସାରିଛି। ୩ହଜାରରୁ ଅଧିକ ହେବ ସେନାବଳ ଓ ଏୟାରଫୋର୍ସ ଅଧିକାରୀ ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। କଙ୍ଗାରୁ, ୱାଲିବିଜ୍, ଓମ୍ବାତ୍ ଏବଂ ଅନ୍ୟ ଜଙ୍ଗଲୀ ପ୍ରାଣୀ ତଥା କିଛି ପକ୍ଷୀ ବି ଏହି ଦୁର୍ବିପାକରେ ପ୍ରଭାବିତ ହୋଇଛନ୍ତି। ପରିବେଶବିତ୍ ଆକଳନ କରୁଛନ୍ତି ଯେ, ଏହି ବିପତ୍ତି ହେତୁ ଅଷ୍ଟ୍ରେଲିଆର ୪୮ ବିଲିୟନ୍ ପ୍ରାଣୀ ଓ ପକ୍ଷୀଙ୍କ ମୃତ୍ୟୁ ଘଟିଥାଇପାରେ। ଏହି ପ୍ରାଣୀଙ୍କ ଭିତରୁ ୩୦ ପ୍ରତିଶତ ପ୍ରାଣୀ ଟେଡି ବିୟର ଭଳି ବି ଦେଖାଯାଆନ୍ତି।
ଏମାନଙ୍କୁ କୋଆଲା ବୋଲି ଡକାଯାଏ। ଏମାନେ ବେଶ୍ ଧିରେ ଧିରେ ଚାଲିପାରନ୍ତି। ଆଉ ଏହି ଅଗ୍ନିକାଣ୍ଡ ଦ୍ଵାରା ଏହିପରି ଧୀରେ ଚାଲୁଥିବା ପ୍ରାଣୀଙ୍କ ଜୀବନ ଚାଲି ଯାଇଥିବା ଆଶଙ୍କା ରହିଛି। ଏହି ପ୍ରାଣୀ ପାଣ୍ଡା ପରି ଦେଖାଯାଆନ୍ତି କିନ୍ତୁ ଧୀରେ ଚାଲନ୍ତି। ଏଣୁ ଯେତେବେଳେ ଅଗ୍ନି ଏତେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ସେଠାରେ ଏହି ଜୀବ ଜୀବନ ବଞ୍ଚାଇ ସେଠାରୁ ତତ୍କାଳ ନିର୍ଗତ ହେବା ଜାଣନ୍ତି ନାହିଁ। ସେପରି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଥିବା ପ୍ରାଣୀ ଯେ ଭଲରେ ଥିବେ, ତାହା କୁହାଯାଇ ନପାରେ। ଅନେକ ସଂଖ୍ୟାରେ ପ୍ରାଣୀ ଏବେ ଜୀବନ ବିକଳରେ ନିକଟତମ ବାସଗୃହରେ ପ୍ରବେଶ କରୁଥିବା ନଜରକୁ ଆସିଛି। ଏଭଳି ପ୍ରାକୃତିକ ଅଗ୍ନିକାଣ୍ଡ ତଥା ଦୁର୍ବିପାକର କ୍ଷତିପୂରଣ କରିବା କଷ୍ଟକର। ଏହାର ପରିଣାମ ମଧ୍ୟ ଯଥେଷ୍ଟ ପ୍ରଭାବଶାଳୀ ରହିବ। ଏହିପରି ଦୁର୍ବିପାକରୁ ପୃଥିବୀର ସମସ୍ତ ରାଷ୍ଟ୍ର ଶିକ୍ଷା କରିବା ଆବଶ୍ୟକ। ନହେଲେ ପୃଥିବୀକୁ ବଞ୍ଚାଇବା ପାଇଁ ଏହାଠୁ କଠୋର ଶିକ୍ଷା ଆମକୁ ଦେବା ପାଇଁ ଯାଉଛି।