ଆମଷ୍ଟରଡ୍ୟାମ: ଏଣିକି ବାୟୋସେନ୍ସର ମାଧ୍ୟମରେ ସ୍ବତନ୍ତ୍ର ନିରୀକ୍ଷଣରେ ରହିବେ କୋରୋନା ରୋଗୀ । ଫଳରେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର କୋରୋନା ମହାମାରୀରେ ସଂକ୍ରମିତ ହେବା ଆଶଙ୍କା କମିବ । ଏହା ସହ ମେଡିକାଲରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ର ବହୁଳ ବ୍ୟବହାର କମିବ ।
ରୟାଲ ଫିଲିପ୍ସ ଦ୍ବାରା ପ୍ରସ୍ତୁତ ବାୟୋସେନ୍ସର ବ୍ୟବହାରକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ (ଏଫଡିଏ) କ୍ଲିନଚିଟ୍ ଦେଇସାରିଛି । ମଙ୍ଗଳବାର ଦିନ ଏନେଇ ଘୋଷଣା କରିଛି ହେଲଥ ଟେକ୍ନୋଲୋଜି କମ୍ପାନୀ ରୟାଲ ଫିଲିପ୍ସ ।
ଫିଲିପ୍ସ ଦ୍ବାରା ପ୍ରସ୍ତୁତ ବାୟୋସେନ୍ସର BX100 ହେଉଛି ହାଲୁକା ଏବଂ ଡିସପୋଜେବଲ ବାୟୋସେନ୍ସର । ଡାକ୍ତରଖାନାରେ ଥିବା ଏକାଧିକ କୋଠରୀରେ ଏକାଧିକ ରୋଗୀଙ୍କ ଉପରେ ନଜର ରଖିବାକୁ ଏହାର ବ୍ୟବହାର କରାଯାଇପାରିବ ।
ବାୟୋସେନ୍ସର ବାସ୍ତବରେ ଏକ ପାଞ୍ଚ ଦିନିଆ ଏକକ-ବ୍ୟବହାର ପ୍ୟାଚ୍ ଏବଂ ଏହାକୁ ରୋଗୀଙ୍କ ଛାତିରେ ସାବଧାନତା ପୂର୍ବରୁ ଯୋଡା ଯାଇପାରିବ । ଯାହାଦ୍ବାରା ରୋଗୀଙ୍କ ପ୍ରତ୍ୟେକ ମିନିଟର ଶ୍ୱାସକ୍ରିୟାର ମାତ୍ରା ଏବଂ ହୃଦସ୍ପନ୍ଦନର ଗତିକୁ ଅନୁଧ୍ୟାନ କରାଯାଇ ପାରିବ ।
କୋଭିଡ-19 ଭଳି ସଙ୍କଟଜନକ ସମୟରେ ଫିଲିପ୍ସ ବାୟୋସେନ୍ସର BX100 କ୍ଲିନିକାଲ ମନିଟରିଂ ପାଇଁ ଦ୍ରୁତ ନିୟୋଜନ ଯୋଗାଇବାରେ ସାହାଯ୍ୟ କରିବ । ଯାହାଦ୍ବାରା ବାରମ୍ବାର ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ । କେବଳ ସେତିକି ନୁହେଁ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ସହ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ର ଚାହିଦା ହ୍ରାସ କରିବାରେ ଏହା ସାହାଯ୍ୟ କରିବ । ଏକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଫିଲିପ୍ସର ମନିଟରିଂ ଏବଂ ଆନାଲିଟିକ୍ସ ସାଧାରଣ ସମ୍ପାଦକ ପିଟର ଜିସ ଏହି ସୂଚନା ଦେଇଛନ୍ତି ।
ବିଜ୍ଞପ୍ତିରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଡଚ୍ର ସର୍ବଶ୍ରେଷ୍ଠ ହସ୍ପିଟାଲ ଓଏଲଭିଜି କୋଭିଡ-19 ଆକ୍ରାନ୍ତଙ୍କ ଉପରେ ନଜର ରଖିବା ପାଇଁ ଏହି ବାୟୋସେନ୍ସର ବ୍ୟବହାର କରିସାରିଛି ।
ହସ୍ପିଟାଲର କୋଭିଡ -19 ୱାର୍ଡର ଟିମ ଲିଡର ଫ୍ଲୋରିଆନ ଭାନ ଡେର ହୁନିକ କହିଛନ୍ତି ଯେ, ଏହି ନୂତନ ବାୟୋସେନ୍ସର ସାହାଯ୍ୟରେ ଦୂରରେ ରହି ମଧ୍ୟ ରୋଗୀଙ୍କ ଉପରେ ଲଗାତାର ଭାବେ କଡା ନଜର ରଖିପାରିବେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ । ବିଶେଷ କରି କୋଭିଡ-19 ୱାର୍ଡ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁରକ୍ଷା ବିନା ଆମେ ରୋଗୀଙ୍କ ୱାର୍ଡ ଭିତରକୁ ଯିବା ପରେ ଆଉ ବାହାରକୁ ଯାଇପାରିବୁ ନାହିଁ । ତେଣୁ ଆମେ ଏହି ନୂତନ ଉଦ୍ଭାବନକୁ ସ୍ୱାଗତ କରୁଛୁ, କାରଣ ଏହା ଆମ କାମରେ ଉନ୍ନତି ଓ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିବ ।