ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପରେ ସରଗରମ ହୋଇଛି ଦିଲ୍ଲୀ ରାଜନୀତି । ନିର୍ବାଚନରେ ବିଜୟ ହାସଲ ପାଇଁ ଦୃଢୋକ୍ତି ପ୍ରକାଶ କରିବା ସହ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇବା ମଧ୍ୟ ଆରମ୍ଭ କରିଛନ୍ତି ବିରୋଧୀ ଏବଂ ଶାସକ ଦଳ । ଏହି କ୍ରମରେ ଶାସକ ଦଳ ଆମ ଆଦମୀ ପାର୍ଟି ଉପରେ ବର୍ଷିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ।
"କେବଳ ଫମ୍ପା ପ୍ରତିଶୃତିରେ ଜନତାଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଭ୍ରମିତ କରିଥିବା ଲୋକଙ୍କୁ ଚଳିତ ଥର ଦିଲ୍ଲୀ ଜନତା ମଜା ଚଖାଇବେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବ ଓ ବିଜେପି ଉପରେ ବିଶ୍ବାସ କରିବେ । ଆପ 5 ବର୍ଷ ପର୍ଯ୍ୟନ୍ତ କେବଳ ମିଥ୍ୟା ପ୍ରତିଶୃତି ଦେଲା ଏବଂ ଶେଷ 3 ମାସରେ ଜନତାଙ୍କ ଟଙ୍କାକୁ ବିଜ୍ଞାପନରେ ଖର୍ଚ୍ଚ କଲା । ଦିଲ୍ଲୀବାସୀ ଆଜି ମଧ୍ୟ ମାଗଣା ୱାଇ-ଫାଇ, 15 ଲକ୍ଷ ସିସିଟିଭି କ୍ୟାମେରା, ନୂଆ କଲେଜ ଏବଂ ସ୍କୁଲ ନିର୍ମାଣ ପାଇଁ ଅନେଇ ବସିଛନ୍ତି । ହେଲେ ଆପ ସେମାନଙ୍କ ସ୍ବପ୍ନକୁ କେବେବି ସାକାର କରିବ ନାହିଁ ବୋଲି ଶାହ କହିଛନ୍ତି "।
ଏହା ସହିତ ଦିଲ୍ଲୀରେ ଆପର ମୂଳପୋଛ କରିବାର ଦୃଢୋକ୍ତି ପ୍ରକାଶ କରି ଶାହ କହିଛନ୍ତି, "ଏହି ନିର୍ବାଚନ ଗରିବଙ୍କ ନିଜର ପକ୍କା ଘରର ସ୍ବପ୍ନକୁ ପୂରଣ କରିବାର ନିର୍ବାଚନ ହେବ । ଏହା ଗରିବଙ୍କଠାରୁ ମାଗଣା ଚିକିତ୍ସା ଛଡାଇନେଇଥିବା ଦଳକୁ ଗାଦିଚ୍ୟୁତ କରିବାର ନିର୍ବାଚନ ହେବ । ଏହା ଭୋଟବ୍ୟାଙ୍କ ରାଜନୀତି ପାଇଁ ଦିଲ୍ଲୀର ଶାନ୍ତିକୁ ଭଙ୍ଗ କରିଥିବା ଲୋକଙ୍କ ଅସ୍ତିତ୍ବ ସଫା କରିବାର ନିର୍ବାଚନ ହେବ ବୋଲି ଶାହ କହିଛନ୍ତି "।
ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ କହିଥିଲେ, "ଏଥର ମଧ୍ୟ ଲୋକେ ଠିକ ଦଳକୁ ଭୋଟ ଦେବେ । ଆମେ ଗାଳିଗୁଲଜ କରି ଭୋଟ ମାଗିବୁ ନାହିଁ କି ରାଜନୀତି କରିବୁ ନାହିଁ । ଆମେ କାମକୁ ଆଧାର କରି ଭୋଟ ମାଗିବୁ । ଏଥର ଲୋକେ କାମକୁ ତୂଳନା କରି ଭୋଟ ଦେବେ ବୋଲି ସେ କହିଥିଲେ" । ଯାହାର ଜବାବରେ ଶାହ ଏଭଳି କହିଛନ୍ତି ।