ପାଟନା: ସର୍ବଦା ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ବିରୁଦ୍ଧରେ ବିଷ ଓଗାଳୁଥିବା କଂଗ୍ରେସ ନେତା ଶତୃଘ୍ନ ସିହ୍ନା ମୋଦିଙ୍କ ଉପରେ ପ୍ରଶଂସାର ଫୁଲ ବର୍ଷାଇଛନ୍ତି । ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦ୍ବାରା ଦିଆଯାଇଥିବା ଭାଷଣର ଫ୍ୟାନ ହୋଇଯାଇଛନ୍ତି ଶତୃଘ୍ନ । ସେ ମୋଦିଙ୍କ ଭାଷଣର ଉଚ୍ଚ ପ୍ରଶଂସା କରିଛନ୍ତି । ଅଗଷ୍ଟ 15 ରେ ମୋଦି ଦେଇଥିବା ଭାଷଣ ଅତ୍ୟନ୍ତ ସାହସିକ, ଗବେଷଣା ଭିତ୍ତିକ ଏବଂ ଚିନ୍ତା ଉଦ୍ରେକକାରୀ ଥିଲା ବୋଲି ଶତୃଘ୍ନ କହିଛନ୍ତି ।
ସେ ଟ୍ବିଟ କରି କହିଛନ୍ତି, 'ମୁଁ ମୋ କମେଣ୍ଟକୁ ନେଇ ପ୍ରସିଦ୍ଧି କିମ୍ବା ବଦନାମ ହୋଇଥାଇପାରେ । କିନ୍ତୁ ମୁଁ ଏଠାରେ ସ୍ବୀକାର କରୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ରେ ଲାଲକିଲ୍ଲାରୁ ଦେଇଥିବା ଭାଷଣ ଅତି ସାହସିକ, ଗବେଷଣାଭିତ୍ତିକ ଏବଂ ଚିନ୍ତା ଉଦ୍ରେକକାରୀ ଥିଲା । ନିଜ ଭାଷଣରେ ଦେଶର ପ୍ରମୁଖ ସମସ୍ୟାଗୁଡ଼ିକୁ ଦର୍ଶାଇଥିଲେ ମୋଦି ।'
ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ ଅଭିନେତା ମୋଦିଙ୍କ ପ୍ରଂଶସାରେ କହିଛନ୍ତି, ମୋଦି ଦେଶର ସମସ୍ୟା ଗୁଡିକର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଯଦି ଆପଣଙ୍କ ପାଖରେ ସମୟ ଅଛି ଏବଂ ନଦୀ ଗୁଡିକୁ ଯୋଡିବାର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍ବପ୍ନକୁ ପୂରା କରିବାର ଇଚ୍ଛା ଅଛି ତାହେଲେ ମୁଁ ଆପଣଙ୍କ ସହ ଆଲୋଚନା କରିପାରିବି । ଏହାଦ୍ବାରା ଦେଶରେ ଉପୁଜୁଥିବା ବନ୍ୟା ସମସ୍ୟାର ସମାଧାନ ହୋଇପାରିବ ବୋଲି ଶତୃଘ୍ନ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବିଜେପିର ସମାଲୋଚନା କରିବାସହ ଶତୃଘ୍ନ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ବର୍ତ୍ତମାନ ତାଙ୍କ ମୁଁହରୁ ପୁଣିଥରେ ମୋଦିଙ୍କ ପ୍ରଶଂସା ଦେଖି ସେ ପୁଣିଥରେ ବିଜେପିରେ ଯୋଗ ଦେବାନେଇ ଚର୍ଚ୍ଚା ହେଉଛି ।