ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ଝଡର ସଙ୍କେତ ଦେଇଛନ୍ତି ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ । ତାଙ୍କ ସଙ୍କେତରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ ହେବା ପରେ ବିଜେପିରେ କନ୍ଦଳ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦିବଂଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ନିଜ ଟ୍ବିଟର ପ୍ରୋଫାଇଲରୁ ବିଜେପି ଟ୍ୟାଗ ହଟାଇଦେଇଛନ୍ତି ।
ପୂର୍ବରୁ ତାଙ୍କ ପ୍ରୋଫାଇଲର ୟୁଜରନେମ ପଙ୍କଜା ମୁଣ୍ଡେ ବିଜେପି ଥିଲା । କିନ୍ତୁ ଏବେ ତାଙ୍କର ଟ୍ବିଟ ପ୍ରୋଫାଇଲରେ କେବଳ ପଙ୍କଜା ମୁଣ୍ଡେ ଲେଖାଯାଇଛି । ତେବେ ତାଙ୍କର ଏହି ନିଷ୍ପତି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିବାର ସଙ୍କେତ ଦେଇଛି ।
ଏହା ପୂର୍ବରୁ ପଙ୍କଜା ମୁଣ୍ଡେ ଆଗାମୀ ୮-୧୦ ଦିନ ମଧ୍ୟରେ କିଛି ବଡ଼ ନିଷ୍ପତ୍ତି ନେବେ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ସେ ନିଜ ଫେସବୁକ ପୋଷ୍ଟ ଜରିଆରେ କରିଥିଲେ । ସେ ଲେଖିଥିଲେ, ୧୨ ଡିସେମ୍ବର ବାପାଙ୍କର ଜନ୍ମଦିନ। ଏହି ଅବସରରେ ସମର୍ଥକଙ୍କ ସହ ଆଲୋଚନା କରିବି। ଆଲୋଚନା ପରେ ବଡ଼ ନିଷ୍ପତ୍ତି ନେବି।