ହାଇଦ୍ରାବାଦ: ଇମରାନ ଖାନଙ୍କ ସରକାରକୁ ଆଶ୍ବସ୍ତି । ସେନାମୁଖ୍ୟ ଜେନେରାଲ୍ କମର ଜାଭେଦ ବାଜଓ୍ବାଙ୍କ ବଢିଲା କାର୍ଯ୍ୟକାଳ ଅବଧି । ପାକିସ୍ତାନ ସୁପ୍ରିମକୋର୍ଟ ବାଜଓ୍ବାଙ୍କ କାର୍ଯ୍ୟକାଳ 6ମାସ ବୃଦ୍ଧି କରିଛନ୍ତି । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଆସିଫ୍ ସୟେଦ ଖୋସାଙ୍କ ନେତୃତ୍ବରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ଏହାସହ ପାକିସ୍ତାନ ସରକାରଙ୍କୁ ଏକ ନିର୍ଦ୍ଧିଷ୍ଟ ବିଲ୍ ପାରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଯେ, ପୂର୍ବରୁ ପାକିସ୍ତାନ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜଓ୍ବାଙ୍କ କାର୍ଯ୍ୟକାଳ 3 ବର୍ଷ ବୃଦ୍ଧି କରିଥିଲେ ପାକିସ୍ତାନ ସରକାର । ତେବେ ସରାକରଙ୍କ ଏହି ନିଷ୍ପତ୍ତି ବିରୋଧରେ ଯାଚିକା ଦାଏର ହୋଇଥିଲା ।ଏହାର ଶୁଣାଣି କରି ସୁପ୍ରିମକୋର୍ଟ ବାଜଓ୍ବାଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ପାଇଁ ସରକାରଙ୍କୁ କଡା ଟିପ୍ପଣି କରିଛନ୍ତି । ତିନି ଜଣିଆ ଖଣ୍ଡପୀଠ ସରକାରଙ୍କୁ 6 ମାସ ମଧ୍ୟରେ ସଂସଦରେ ଏକ ବିଲ୍ ପାସ୍ କରିବାକୁ ଆଦେଶ ଦେଇଛନ୍ତି । ବିଲରେ ସେନା ପ୍ରମୁଖଙ୍କ କାର୍ଯ୍ୟକାଳ, ଦରମା ଓ ଚୟନ ପ୍ରକ୍ରିୟା ଆଦିକୁ ଭଲ ଭାବେ ଉଲ୍ଲେଖ କରିବାକୁ କୁହଯାଇଛି ।
ଅନ୍ୟପକ୍ଷେ ପୂର୍ବ ପାକ୍ ଜେନେରାଲ ଅମଜଦ୍ ସୋଏବ ସେନାପ୍ରମୁଖଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସେନାର ସମ୍ମାନହାନୀ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ, ପାକିସ୍ତାନ ସେନା ପ୍ରମୁଖ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁନାହାଁନ୍ତି, ଇମରାନ ଖାନ କେବଳ ତାଙ୍କୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅମଜଦ୍ ସୋଏବ୍ ।