ଶ୍ରୀନଗର: ଅମାନିଆ ପାକିସ୍ତାନ। ଦିନକୁ ଦିନ ସୀମାରେ କରିଚାଲିଛି ଔଦ୍ଧତାମୀ। ମହାମାରୀରେ ଭାରତ ଚୀନକୁ ଟପିଥିବା ବେଳେ ପାକିସ୍ତାନ ମଧ୍ୟ ସମକକ୍ଷ ରହିଛି। ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଲୋକଙ୍କ ସୁରକ୍ଷାକୁ ପଛରେ ପକାଇ ସେନାକୁ ନେଇ ସୀମାରେ ପାକିସ୍ତାନ କରିଚାଲିଛି ଅସ୍ତ୍ରବିରତୀ ଉଲ୍ଲଙ୍ଘନ। ବହୁବାର ତାଗିଦ ଓ ଚେତାବନୀ ପରେ କର୍ଣ୍ଣପାତ କରୁନାହାଁନ୍ତି ନିର୍ଲଜ ପାକ୍ ।
ରବିବାର ସକାଳୁ ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାର ଦେଗୱାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଛି। ସେନା ସୂତ୍ର ଅନୁଯାୟୀ ପାକିସ୍ତାନ ଦେଗୱାର ସେକ୍ଟରରେ ଥିବା ଏଲଓସି ସହିତ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ପାକ ସେନାଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ ଯବାନ।
ଏହା ପୂର୍ବରୁ ମେ 9 ରେ, ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ରାତି ପ୍ରାୟ 7.30 ସମୟରେ ପାକିସ୍ତାନୀ ସେନା ବିଭିନ୍ନ ଅସ୍ତ୍ରରେ ଗୁଳି ବିନିମୟ କରି ଦେଗୱାର ସେକ୍ଟରରେ ମୋର୍ଟାର ମାଡ କରିଥିଲା । ଏହାସହ ଭାରତୀୟ ସେନାର ଦୃଢ ଜବାବରେ ଥମିଥିଲା ପାକ୍ ସେନା।
ସେହିପରି ମେ 8 ରେ ପୁଞ୍ଚ ଜିଲ୍ଲାରେ ପାକ ଓ ଭାରତୀୟ ସେନାଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଅତି କମରେ 3-4 ଜଣେ ସୈନ୍ୟ ନିହତ ହୋଇଥିଲେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି।
ଅନ୍ୟପଟେ ମେ 7 ରେ, ପାକ ସେନାର ଗୁଳିମାଡରେ ଜଣେ ସାଧାରଣ ନାଗରିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଅଧିକାରୀ କହିଛନ୍ତି। ଏବଂ ମୋର୍ଟାର ମାଡରେ ଦୁଇ ଘରର କ୍ଷତିଗ୍ରସ୍ତ ହୋଇଥିଲା।