ଇସଲାମବାଦ: ଆସନ୍ତା ଜୁଲାଇ ମାସ ସୁଦ୍ଧା ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ପହଞ୍ଚିପାରେ । ଯଦି ପାକିସ୍ତାନ ଉପଯୁକ୍ତ ସତର୍କତା ଅବଲମ୍ବନ ନକରେ ତେବେ ଆସନ୍ତା ଜୁଲାଇ ମାସ ସୁଦ୍ଧା ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ପହଞ୍ଚିପାରେ ବୋଲି ଏକ ଆକଳନ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ ଡ.ଟେଡର୍ସ ଆଧାନୋମ ।
ଡେଲି ପାକିସ୍ତାନ ଡଟ୍ କମ ଅନୁଯାୟୀ, ଡବ୍ଲୁଏଚଓ ପ୍ରମୁଖ ଡ.ଟେଡର୍ସ ଆଧାନୋମ ନିଜ ଟ୍ବିଟରରେ କହିଛନ୍ତି ଯେ, କୋରୋନା ଭାଇରସ ପାକିସ୍ତାନର 115 ଜିଲ୍ଲାରେ ବ୍ୟାପିସାରିଛି । ପଞ୍ଜାବ ଏବଂ ସିନ୍ଧ ପ୍ରାନ୍ତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଏଥିପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବାରମ୍ବାର ଚାପ ପକାଯାଉଛି । ଏଭଳି ପରିସ୍ଥିତିରେ ପାକିସ୍ତାନ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଏଥିସହ ଡ.ଟେଡର୍ସ ଆଧାନୋମ ନିଜ ଟ୍ବିଟରରେ କହିଛନ୍ତି, କୋରୋନାକୁ ବ୍ୟାପିବାରୁ ରୋକିବା ପାଇଁ ପାକିସ୍ତାନ ଯଦି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନନିଏ ତେବେ ଜୁଲାଇ ମାସ ସୁଦ୍ଧା ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ପହଞ୍ଚିପାରେ । ସେଥିପାଇଁ ପାକିସ୍ତାନ, ସଂଯୁକ୍ତ ରାଷ୍ଟ୍ର ଏବଂ ଅନ୍ୟ ଏଜେନ୍ସିମାନଙ୍କୁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରି ଆଗକୁ ବଢିବା ଉଚିତ୍ ।
ଏପଟେ କୋରୋନା ମହାମାରୀରୁ ମୁକୁଳିବା ପାଇଁ ପାକିସ୍ତାନର ଆବଶ୍ୟକତାକୁ ଧ୍ୟାନରେ ରଖିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟ ଉପରେ ଚାପ ପକାଉଛନ୍ତି । ଏଥିସହ ଡ.ଟେଡର୍ସ ଆଧାନୋମ ନିଜ ଟ୍ବିଟରେ ପାକିସ୍ତାନକୁ ଏହା ଆଶ୍ବସନା ଦେଇଛନ୍ତି ଯେ, ଏଭଳି ବିପଦ ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପାକିସ୍ତାନ ସହିତ ଅଛି । ଆମେ ଆଶା କରୁଛୁ ଆମେ ଏହି ବିପଦରୁ ଶୀଘ୍ର ମୁକୁଳିବା ।