ମୁମ୍ବାଇ: ଦୀର୍ଘ 50 ବର୍ଷର ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି। ଭାରତରେ ରହୁଥିବା ଜଣେ ପାକିସ୍ତାନୀକୁ ଭାରତୀୟ ନାଗରିକର ପରିଚୟ ମିଳିବାକୁ ଯାଉଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ବମ୍ବେ ହାଇକୋର୍ଟକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି ।
ପାକିସ୍ତାନ ନାଗରିକ ଓସିଫ୍ କରାଡିଆ ଭିସା ଜରିଆରେ ଦୀର୍ଘ 50 ବର୍ଷ ଧରି ଭାରତରେ ରହିଆସୁଛନ୍ତି। ହେଲେ 2016ରେ ତାଙ୍କର ଭିସା ଅବଧି ଶେଷ ହେବା ପରେ ସେ ବମ୍ବେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେହି ସମୟରେ ପାସପୋର୍ଟ ପ୍ରଦାନ ନ କଲେ ଭିସା ଅବଧି ବଢାଇବା ପାଇଁ ସଫାସଫା ମନା କରିଦେଇଥିଲେ କିଛି ଅଧିକାରୀ। ପରେ ଏହି ମାମଲା ଉପରେ କୋର୍ଟ ହସ୍ତକ୍ଷେପ କରିବା ପରେ ଓସିଫଙ୍କୁଭାରତୀୟ ନାଗରିକତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ଏପରିକି ଆସନ୍ତା 10 ଦିନ ମଧ୍ୟରେ ତାଙ୍କୁ ନାଗରିକତା ପ୍ରଦାନ ପାଇଁ ସମସ୍ତ ପ୍ରକିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ସୂଚନା ଯୋଗ୍ୟ, ଓସିଫ୍ ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଛନ୍ତି । ଜନ୍ମ ହେବାର କିଛି ଦିନ ପରେ ତାଙ୍କ ମା ତାଙ୍କୁ ମୁମ୍ବାଇ ନେଇ ଆସିଥିଲେ। ତେବେ ଓସିଫ୍ଙ୍କ ପତ୍ନୀ ଓ 3 ସନ୍ତାନ ଭାରତୀୟ ନାଗରିକ ଅଟନ୍ତି। ସେ ବର୍ତ୍ତମାନ ଏକ ରେସ୍ତୋରାଁରେ କାର୍ଯ୍ୟ କରୁଛନ୍ତି । ତାଙ୍କ ପାଖରେ ଆଧାର କାର୍ଡ, ରାସନ କାର୍ଡ ଓ ପ୍ୟାନ କାର୍ଡ ଭଳି ଗୁରୁତ୍ବ ପୂର୍ଣ୍ଣ କାଗଜ ପତ୍ର ରହିଛି । ହେଲେ ଆଜି ବି ଭାରତୀୟ ନାଗରିକତ୍ବ ପାଇଁ ଅପେକ୍ଷା କରି ରହିଛନ୍ତି ।