ନୂଆଦିଲ୍ଲୀ: ପାକିସ୍ତାନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କରତାରପୁର କରିଡରର ଉଦଘାଟନ ପାଇଁ ନିମନ୍ତ୍ରଣ ଦେଇଛି । ଏହି କାର୍ଯ୍ୟକ୍ରମ ନଭେମ୍ବର 9ରେ ଆରମ୍ଭ ହେବାର ଯୋଜନା ରହିଥିବା ଜଣାପଡିଛ । ଅନ୍ୟପଟେ ପାକର ନିମନ୍ତ୍ରଣକୁ ନେଇ ମୁହଁ ଖୋଲିଛି କଂଗ୍ରେସ । ସୂତ୍ରରୁ ପ୍ରକାଶଯେ, ପାକର ଏହି ନିମନ୍ତ୍ରଣକୁ ମନମୋହନ ସିଂହ ସ୍ବୀକାର କରିନାହାନ୍ତି । ସେ ଏହି ସମାରେହରେ ଯୋଗ ଦେବେନାହିଁ ବୋଲି ମନା କରିଛନ୍ତି ।
ସୂଚନାନୂସାରେ, ପାକର ବୈଦେଶିକ ମନ୍ତ୍ରୀ ସାହ ମେହମୁଦ କ୍ୟୁରେସି କହିଛନ୍ତି ଯେ, ‘ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କରତାରପୁର କରିଡରର ଉଦଘାଟନରେ ନିମନ୍ତ୍ରିତ କରିବାକୁ ଚାହୁଁଛୁ । କାରଣ ସିଂହ ଶିଖ ସମୁଦାୟର ମଧ୍ୟ ପ୍ରତିନିଧିତ୍ବ କରୁଛନ୍ତି । ଆମେ ତାଙ୍କୁ ଔପଚାରିକ ନିମନ୍ତ୍ରଣ ମଧ୍ୟ ପଠାଇବୁ’ ।
କ'ଣ ଏହି କରତାରପୁର କରିଡର ?
କରତାରପୁର କରିଡର ଭାରତୀୟ ଶିଖଙ୍କ ପାଇଁ ଏକ ପବିତ୍ର ସ୍ଥାନ । ଗୁରୁ ନାନକ ନିଜର ଶେଷ ଜୀବନ 17 ବର୍ଷ 5 ମାସ 9 ଦିନ ଏହି ସ୍ଥାନରେ ବିତାଇଥିଲେ । ତାଙ୍କ ପରିବାର ଉକ୍ତ ସ୍ଥାନରେ ଆସି ରହୁଥିଲେ । ପିତା-ମାତାଙ୍କ ସହ ତାଙ୍କର ଦେହାନ୍ତ ଉକ୍ତ ସ୍ଥାନରେ ହୋଇଥିଲା । ଏହାପରେ ଏହି ସ୍ଥାନ ଶିଖ ମାନଙ୍କ ପବିତ୍ର ଧାମ ରୁପେ ଜଣାଯାଏ ।
ପାକର ସୂତ୍ରାନୁସାରେ 5 ହଜାର ଶିଖ ତୀର୍ଥଯାତ୍ରୀଙ୍କ ଆଗମନ ପାଇଁ 76ଟି ବିଶ୍ରାମଗୃହ ନିର୍ମାଣ କରାଯାଇଛି । ପ୍ରତିଦିନ ଆସୁଥିବା 10 ହଜାର ଶ୍ରଦ୍ଧାଳୁଙ୍କ ପାଇଁ 152ଟି ବିଶ୍ରାମଗୃହ ନିର୍ମାଣ କରାଯିବ ।
ତେବେ ପୂର୍ବରୁ ପାକ ପିଏମ ଇମରାନଙ୍କ ନିମନ୍ତ୍ରଣ ରକ୍ଷା କରି ସିଦ୍ଧୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହଟହଟା ହୋଇଥିଲେ ।