ନୂଆଦିଲ୍ଲୀ: ମାର୍ଚ୍ଚ 11ରୁ ଏବେସୁଦ୍ଧା 3.04 କୋଟିରୁ ଅଧିକ ଏନ95 ମାସ୍କ, 1.28 କୋଟିରୁ ଅଧିକ ପିପିଇ କିଟ୍ ଏବଂ 10.83 କୋଟିରୁ ଅଧିକ ଏଚସିକ୍ୟୁ ଟାବଲେଟ କେନ୍ଦ୍ର ସରକାରଙ୍କ ଦ୍ବାରା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବଣ୍ଟନ କରାଯାଇଛି ବୋଲି ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ।
ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି ଯେ, ମୋଟ 22,533 'ମେକ୍ ଇନ୍ ଇଣ୍ଡିଆ' ଭେଣ୍ଟିଲେଟର ମଧ୍ୟ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଅନୁଷ୍ଠାନକୁ କେନ୍ଦ୍ର ଦ୍ବାରା ବଣ୍ଟନ କରାଯାଇଛି। କୋରୋନା ସୁବିଧା ବୃଦ୍ଧି କରିବା ବ୍ୟତୀତ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣାରେ ଚିକିତ୍ସା ଯୋଗାଣ ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।
ଏଥିସହ ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଯାଉଥିବା ଅଧିକାଂଶ ଉତ୍ପାଦ ଆରମ୍ଭରୁ ଦେଶରେ ଉତ୍ପାଦିତ ହେଉ ନଥିଲା । କାରଣ କୋରୋନା ମହାମାରୀ ହେତୁ ବିଶ୍ବର ଚାହିଦା ବଢୁଥିବା ବୈଦେଶିକ ବଜାରରେ ଏହି ଉପକରଣ ଉପଲବ୍ଧ ନଥିଲା ।
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୟନ ମନ୍ତ୍ରଣାଳୟ ଏବଂ ଫାର୍ମାସ୍ୟୁଟିକାଲ୍ସ ମନ୍ତ୍ରଣାଳୟ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏବଂ ଅନ୍ୟାନ୍ୟ ବିଭାଗର ମିଳିତ ଉଦ୍ୟମରେ ପିପିଇ କିଟ୍, ଏନ95 ମାସ୍କ, ଭେଣ୍ଟିଲେଟର ଆଦି ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ରାଜ୍ୟମାନଙ୍କୁ ବଣ୍ଟନ କରାଯାଇଥିଲା ।