ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ମଙ୍ଗଳବାର କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ବୈଠକ ଅଛି । ବିରୋଧୀଙ୍କ ଏହି ବୈଠକରେ କଂଗ୍ରେସର ଅହମଦ ପଟେଲ, ଗୁଲାମ ନବୀ ଆଜାଦ ଉପସ୍ଥିତ ରହିବା ବେଳେ ତୃଣମୂଳ କଂଗ୍ରେସରୁ ଡେରେକ ଓବ୍ରାୟନ, ଏନସିପିରୁ ଶରଦ ପାଓ୍ବାର, ସିପିଆଏମରୁ ସୀତାରାମ ୟେଚୁରୀ ଓ ବିଏସପିରୁ ସତୀଶ ଚନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟ ନେତାମାନେ ସାମିଲ ହେବେ ।
ବୈଠକରେ ରାଜନୈତିକ ସ୍ଥିତି ଓ ସରକାର ଗଠନର ଦାବି ପାଇଁ ଅଣ ଏନଡିଏ ଦଳଙ୍କ ମେଣ୍ଟକୁ ନେଇ ଚର୍ଚ୍ଚା ହେବ । ଏଥି ସହ ଭିଭିପାଟ ଓ ଇଭିଏମର ମିଶାଣରେ ଅନ୍ତର ହେଲେ ଆଉଥରେ ଗଣତି ଦାବି ପାଇଁ ସବୁ ଦଳ ନିର୍ବାଚନ ଆୟୋଗଙ୍କୁ ଭେଟିବେ ।
ଦିନକ ପୂର୍ବରୁ ବିରୋଧୀ ଦଳଙ୍କୁ ଏକଜୁଟ କରିବା ପାଇଁ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ କରି ସାରିଛନ୍ତି । ମହାମେଣ୍ଟର ଭବିଷ୍ୟତ ରଣନିତି ଉପରେ ନାଇଡୁ ମମତାଙ୍କ ସହ 45 ମିନିଟ କଥାବାର୍ତ୍ତା ହୋଇଛନ୍ତି ।