ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଭାରତୀୟ ସେନା ଦ୍ବାରା କରାଯାଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ବାଲାକୋଟ ଷ୍ଟ୍ରାଇକର ଗୁପ୍ତନାମ 'ଅପରେସନ ବନ୍ଦର' ରଖିଥିଲେ ଭାରତୀୟ ସେନା । ଭାରତୀୟ ସେନାର ବିଶ୍ବସ୍ତସୂତ୍ରରୁ ଏହା ଜାଣିବାକୁ ମିଳିଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କୀ ଶିବିର ଧ୍ବଂସ ବିଧ୍ବଂସ କରିବା ଏହି ଅପରେସନର ଲକ୍ଷ୍ୟ ଥିଲା ।
ତେବେ 'ଅପରେସନ ବନ୍ଦର'ର ନାମ ଭାରତୀୟ ପୌରାଣିକ କଥା ଏବଂ ଇତିହାସକୁ ଆଧାର କରି ରଖାଯାଇଥିଲା । ରାମାୟଣରେ ମର୍କଟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ସେମାନଙ୍କ ସହାୟତାରେ ଭଗବାନ ରାମ ଲଙ୍କା ଧ୍ବଂସ କରିଥିଲେ । ତେବେ ରାବଣ ଲଙ୍କା ପରି ଜୈଶ-ଏ-ମହମ୍ମଦର ଲଙ୍କାକୁ ମଧ୍ୟ ନଷ୍ଟ କରିବା ଭାରତୀୟ ସେନାର ମୂଳ ଲକ୍ଷ୍ୟ ଥିଲା । ତେଣୁ ସେମାନେ ଏଭଳି ନାମ ବ୍ୟବହାର କରିଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ 26 ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍ କରିଥିଲେ । ବାଲାକୋଟରେ ବାୟୁସେନାର ଯୁଦ୍ଧ ବିମାନ ମିରାଜ-୨୦୦୦, ଇସ୍ରାଇଲ ନିର୍ମିତ ସ୍ପାଇସ-୨୦୦୦ ବୋମା କ୍ଷେପଣ କରି ଜୈଶ-ଏ-ମହମ୍ମଦର ଆତଙ୍କୀ ଶିବିର ଧ୍ବଂସ ବିଧ୍ବଂସ କରିଦେଇଥିଲେ ।