ସେନାରେ ଓଡିଆ ପୁଅଙ୍କୁ ଗୁରୁ ଦାୟିତ୍ବ: ଦକ୍ଷିଣାଞ୍ଚଳ କମାଣ୍ଡର ଭାବେ ନିଯୁକ୍ତ ହେଲେ
ଭୁବନେଶ୍ବର: ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ବଡ଼ ଦାୟିତ୍ବ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ କମାଣ୍ଡର ନିଯୁକ୍ତ କରାଯାଇଛି । ବର୍ତ୍ତମାନ ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ଉତ୍ତରଭାରତରେ କମାଣ୍ଡର ଭାବରେ କାର୍ଯ୍ୟରତ ରହିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି, ଲେଫ୍ଟନାଣ୍ଟ ଜେନେରାଲ ଏସ୍.କେ ସାଇନିଙ୍କ ସ୍ଥାନରେ ଏହି ଦାୟିତ୍ବ ଭାର ସମ୍ଭାଳିଛନ୍ତି ।
ସୂଚନା ଅନୁସାରେ ନିଜର 37 ବର୍ଷ କ୍ୟାରିୟରରେ ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ଜମ୍ମୁକାଶ୍ମୀର ଏଲଓସିରେ ରାଜପୁତ ବାଟାଲିୟନର ନେତୃତ୍ବ ନେଇଛନ୍ତି । ଆତଙ୍କଗସ୍ତ ଉତ୍ତରପୂର୍ବ ଭାରତରେ ମଧ୍ୟ ସଫଳତା ପୂର୍ବକ ଦାୟିତ୍ବ ନିର୍ବାହ କରିଛନ୍ତି । ଏହାସହ ସେ ମିଲିଟାରୀ ଆଡଭାଇଜର ଭାବେ ସେଶଲ୍ସରେ ଅବସ୍ଥାପିତ ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଆର୍ମି ମୁଖ୍ୟାଳୟରେ ଏମ.ଏସ. ବ୍ରାଞ୍ଚରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ବ୍ରିଗେଡିୟର ରୂପେ ପଦୋନ୍ନତ୍ତି ପାଇଁ ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ଅତ୍ୟନ୍ତ ସ୍ପର୍ଶକାତର ଚୀନ ସୀମାରେ ଅରୁଣାଚଳପ୍ରଦେଶରେ ବ୍ରିଗେଡ କମାଣ୍ଡର ଭାବରେ ଦାୟିତ୍ବ ସମ୍ପାଦନ କରିଛନ୍ତି । ଏହାସହ ସେ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତରପୂର୍ବ ସୀମାରେ ବି.ଜି.ଏସ ଅଫିସ ରୂପେ ସଫଳତା ପୂର୍ବକ କାମ କରିଥିଲେ । କଂଗୋ ରାଷ୍ଟ୍ରରେ ଜାତିସଂଘ ସୁରକ୍ଷା ବଳ ଅନ୍ତର୍ଗତ ଏକ ସମ୍ବେଦନଶୀଳ ବ୍ରିଗେଡର ନେତୃତ୍ବ ସିପି ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ମଧ୍ୟ କାର୍ଯ୍ୟଭାର ସଫଳତା ପୂର୍ବ ସମ୍ପାଦନ କରିଥିଲେ ।
ଏହାସହ ମେଜର ଜେନେରାଲ ରୂପେ ଅପରେସନ ରାଇନୋ ସମୟରେ ଗୁରୁତ୍ବପୂର୍ଣ୍ଣ ଡିଭିଜନର କମାଣ୍ଡର ରୂପେ 204ରେ ଏକ ଗଣହତ୍ୟା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆତଙ୍କବାଦକୁ ଦୃଢ ହସ୍ତରେ ଦମନ କରିବାର ଶ୍ରେୟ ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିକୁ ପ୍ରାପ୍ତ ହୋଇଥିଲା । ଯୋଧପୁର ସବ୍ ଏରିଆର କମାଣ୍ଡର ରୂପେ ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ସଫଳତାର ସହ କାର୍ଯ୍ୟ କରିଛନ୍ତି ।
ଏହାସହ ଏଲ.ଜେ. ସିପି ମହାନ୍ତି ଆର୍ମି ମୁଖ୍ୟାଳୟରେ ଡିଜି ଅପରେସନାଲ ଲଜିଷ୍ଟିକ୍ସ ଏବଂ ଷ୍ଟ୍ରାଟେଜିକ ମୋଭ ରୂପେ କାର୍ଯ୍ୟକରି ବିଶେଷ ସଫଳତା ପାଇଥିଲେ । ବିଶେଷ କରି ଡୋକଲାମ ସମସ୍ୟା ସମୟରେ ସମଗ୍ର ଇଣ୍ଡିଆନ ଆର୍ମିର ଷ୍ଟ୍ରାଟେଜିକ ମୁଭମେଣ୍ଟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଚୀନ ସୀମୀରେ ଅବସ୍ଥାପିତ ସମ୍ବେଦନଶୀଳ ‘ତ୍ରିଶକ୍ତି କୋର’ର କମାଣ୍ଡର ରୂପେ ସୁକ୍ମାରେ କାର୍ଯ୍ୟକରି ବିଶେଷ ସୁଖ୍ୟାତି ଅର୍ଜନ କରିଥିଲେ । ବର୍ତ୍ତମାନ ସେ ଉତ୍ତର ଭାରତରେ କମାଣ୍ଡର ଭାବେ କାର୍ଯ୍ୟରତ ରହିଛନ୍ତି ।
ଜଣେ ଦକ୍ଷ, କର୍ମକୁଶଳୀ, ପାରଙ୍ଗମ ଆର୍ମି ଅଫିସର ରୂପେ ସୁନାମ ଅର୍ଜନ କରିଥିବା ଅଫିସର ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି । କାର୍ଯ୍ୟଶୈଳୀ ସାହାସିକତା ପାଇଁ ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲରେ ପୁରସ୍କୃତ ହୋଇଛନ୍ତି । ଏଲ.ଜେ. ସିପି ପ୍ରମୁଖ ରାଜପୁତ ରେଜିମେଣ୍ଟର କର୍ଣ୍ଣେଲ ଅଫ୍ ଦି, ରେଜିମେଣ୍ଟ ରୂପେ ଦୀର୍ଘଦିନ ଧରି ଅବସ୍ଥାପିତ ରହିଛନ୍ତି ।
ଅବସରପ୍ରାପ୍ତ ବରିଷ୍ଠ ସରକାରୀ ଅଧିକାରୀ ଜିତେନ୍ଦ୍ରକିଶୋର ମହାନ୍ତି ଓ ସ୍ବର୍ଗତା ପ୍ରଫେସର ଶାରଦା ମହାନ୍ତିଙ୍କର ଜ୍ୟେଷ୍ଠ ପୁତ୍ର ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି । ବର୍ତ୍ତମାନ ସର୍ବବରିଷ୍ଠ ଓଡିଆ ଆର୍ମି ଅଧିକାରୀ ଓ ଏକମାତ୍ର ଓଡିଆ ଲେଫ୍ଟନାଣ୍ଟ ଜେନେରାଲ ଅଟନ୍ତି । ସେ ସୁନାମଧନ୍ୟ ଇଞ୍ଜିନିୟର ଓ ବାସ୍ତୁବିଶାରଦ୍ ବୈଷ୍ଣବ ଚରଣ ମହାନ୍ତି ଓ କ୍ଷୀରୋଦା ମହାନ୍ତିଙ୍କର ଜାମାତା ଅଟନ୍ତି । ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ଆର୍ମି କମାଣ୍ଡର ରୂପେ ଦ୍ବିତୀୟ ଓଡିଆ ଅଫିସର ଭାବେ ଏହି ପଦ ଭାର ଗ୍ରହଣ କରିଛନ୍ତି ।