ହାଇଦ୍ରାବାଦ: ଅବସରର 4 ଦିନ ପୂର୍ବରୁ କୋରୋନାରେ ପ୍ରାଣ ହରାଇଲେ ହ୍ରାଇଦ୍ରାବାଦ ସରକାରୀ ହସ୍ପିଟାଲର ବରିଷ୍ଠ ନର୍ସ । ଜୁନ୍ ଶେଷ ସୁଦ୍ଧା ଅବସର ନେବାକୁ ଥିବା ନର୍ସଙ୍କୁ ଗୁରୁତର ଅବସ୍ଥାରେ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସରକାରୀ ଜେନେରାଲ ଏବଂ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଏହି ନର୍ସ କୋରୋନାରେ ଆକ୍ରାନ୍ତ ହେବା ପରେ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସେ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଦୁଇ ଦିନ ପୂର୍ବରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଗାନ୍ଧୀ ହସପିଟାଲର ଡ. ପ୍ରଭାକର ରେଡ୍ଡୀ କହିଛନ୍ତି ।
ଏହି ମୃତ୍ୟୁକୁ ନେଇ ତେଲେଙ୍ଗାନା ରାଜ୍ୟପାଳ ଡ.ତାମିଲିସାଇ ସାଉଣ୍ଡରାଜନ୍ ସମବେଦନା ଜଣାଇଛନ୍ତି । ହାଇଦ୍ରାବାଦରେ ଏହା ପ୍ରଥମ ଥର ପାଇଁ COVID-19 ପାଇଁ ଜଣେ ବରିଷ୍ଠ ନର୍ସଙ୍କର ମୃତ୍ୟୁ ହୋଇଛି। ମହିଳା ଜଣକ ଛୁଟିରେ ଥିଲେ ମଧ୍ୟ କର୍ମଚାରୀଙ୍କ ସଙ୍କଟ ଯୋଗୁଁ ସେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ। ମହିଳାଙ୍କୁ କୋଭିଡ ୱାର୍ଡରେ ପୋଷ୍ଟ କରାଯାଇଥିଲା ଏବଂ ହୁଏତ ସେଠାରେ ଭୂତାଣୁ ସଂସ୍ପର୍ଶରେ ଆସିଥାଇପାରେ ବୋଲି ସୂତ୍ରରୁ ପ୍ରକାଶ।
ଏହାପୂର୍ବରୁ ଗାନ୍ଧୀ ଡାକ୍ତରଖାନାର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଦୁଇଜଣ କର୍ମଚାରୀ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ । ଶୁକ୍ରବାର ଦିନ ରାଜ୍ୟରେ ମୋଟ 985ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ସମୁଦାୟ ରାଜ୍ୟକୁ 12,349ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ମୋଟ ମାମଲା ମଧ୍ୟରୁ ବର୍ତ୍ତମାନ ରାଜ୍ୟରେ 7,436 ଟି ସକ୍ରିୟ ମାମଲା ରହିଛି। ଏହା ସହ 4,766 ଜଣ ସୁସ୍ଥ ହୋଇଥିବା ବେଳେ ଶୁକ୍ରବାର ଦିନ 78 ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା।