ହାଇଦ୍ରାବାଦ: ଢୋଲ, ନିଶାନ, ମହୁରୀ, ତାସା ବାଦ୍ୟ ଧୂନରେ ଦୁଲୁକିଲା ହାଇଦ୍ରାବାଦ। ସମ୍ବଲପୁର ସଙ୍ଗୀତ ପ୍ରେମରେ ପ୍ରବାସୀ ଓଡିଆ । ପଶ୍ଚିମ ଓଡିଶା କଳାକାର କରୁଥିଲେ ମତୁଆଲା । ସମ୍ବଲପୁର ମ୍ୟୁଜିକ ପ୍ରେମ ସଂଧ୍ୟାକୁ କରୁଥିଲା ମନୋରମ । ମଞ୍ଚରେ କଳାକାର, ମଞ୍ଚ ତଳେ ଦର୍ଶକ ସମସ୍ତେ ନାଚୁ ଥିଲେ, ଗାଉଥିଲେ, ହସୁଥିଲେ ଏକପ୍ରକାର ମଜ୍ଜି ଯାଇଥିଲେ ସମ୍ବଲପୁରର କଳା ସଂସ୍କୃତି ସଙ୍ଗୀତର ମାୟାରେ । ଏ ଥିଲା ହାଇଦ୍ରାବାଦରେ 'ନୂଆଖାଇ' ଭେଟଘାଟକୁ ନେଇ ଆୟୋଜିତ ପ୍ରୋଗ୍ରାମ ।
ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମକୁ ଦୁଇଟି ପୃଥକ ପୃଥକ ଅନୁଷ୍ଠାନ ଓସାକା ଏବଂ ଜୁହାର ପକ୍ଷରୁ ଆୟୋଜନ କରିଥିଲା । ଓସାକାରେ ଅତିଥି ଭାବେ ଖଡିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ଜୁହାରରେ ଓଡିଶୀ ନୃତ୍ୟ ଶିଳ୍ପୀ ଶାସ୍ବତ ଯୋଶୀ ଯୋଗଦେଇଥିଲେ । ପଶ୍ଚିମ ଓଡିଶା ମିଲୋଡିୟସ ସିଙ୍ଗର ଗାୟକ ମଣ୍ଟୁ ଛୁରିଆ ଦର୍ଶକଙ୍କୁ ନିଜ ସଙ୍ଗୀତର ଯାଦୁରେ ଢେର ନଚାଇଥିବା ବେଳେ ହସାଇ ହସାଇ ବେଦମ କରିଥିଲେ ପଶ୍ଚିମ ଓଡିଶାର ହାସ୍ୟ ଅଭିନେତା ଯୋଗେଶ ଜୋଜୋ । ସେହିପରି ସୁଦୂର ସୁନ୍ଦରଗଡରୁ ଆସିଥିବା ମୟୂରୀ ଅନୁଷ୍ଠାନ କଳାକାର ମାନେ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଚନର ଖୋରାକ ଯୋଗାଇଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁରୀ ପୋଷାକ ଓ ବିଭିନ୍ନ ଅଳଙ୍କାର ସମ୍ଭାର ଦେଖିବାକୁ ମିଳିଥିଲା ।
ରବିବାର ସକାଳୁ ପ୍ରଥମେ 'ମା' ସମଲେଇଙ୍କୁ ପୂଜାର୍ଚ୍ଚନା କରାଯାଇ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହାପରେ ସମ୍ବଲପୁରର ଲୋକପ୍ରିୟ କଳାକାର ମାନେ ଲୋକନୃତ୍ୟ ପରିବେଷଣ କରିଥିଲେ । ହାଇଦ୍ରାବଦରେ ରହୁଥିବା ପଶ୍ଚିମାଞ୍ଚଳ ଭାଷାଭାଷୀ ଲୋକଙ୍କୁ ଏକତ୍ର କରିବା ସହ ସେମାନଙ୍କ ମଧ୍ୟରେ ଭାଇଚାରା ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ନୂଆଖାଇ ଭେଟଘାଟ ଆୟୋଜିତ ହୋଇଛି ।
ହାଇଦ୍ରାବାଦରୁ କୌଶିକ ମହାପାତ୍ର, ଇଟିଭି ଭାରତ