ନୂଆଦିଲ୍ଲୀ: ଚୀନ ସହ ଜାରି ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ଚାଲିଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ସୂଚନାନୁସାରେ, ବୈଠକରେ LAC ଉପରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଆଲୋଚନା ହେଉଛି । ଏଲଏସିରେ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଚରମ ସ୍ଥିତିରେ ପହଞ୍ଚିଛି । ମେ ମାସ ଆରମ୍ଭରୁ ଲଦାଖରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା, କିନ୍ତୁ ଚୀନର ଅନୁପ୍ରବେଶ ଉଦ୍ୟମ ପରେ ବିଗତ ଦିନରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି ।
ଏହା ପୂର୍ବରୁ ଏଲଏସିରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟଙ୍କୁ ନେଇ ଏକ ବୈଠକ ବସିଥିଲା । ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।
ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ସାମରିକ ସ୍ତର ବ୍ୟତୀତ ଗୁରୁବାର ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୋଟିଏ ପକ୍ଷେ ଚୀନ ନିଜ ଆଡୁ ଛଳନା କରୁଥିବା ବେଳେ ଅନ୍ୟପକ୍ଷେ ଏହା ଭାରତ ମଧ୍ୟ କୂଟନୀତି ସ୍ଥରରେ ଏହି ଛଳନାର ମୁକାବିଲା ଜାରି ରଖିଛି ।