ନୂଆଦିଲ୍ଲୀ: କୋରୋନା ଭାଇରସ୍ କାରଣରୁ ଲାଗୁ ହୋଇଥିବା ଲକଡାଉନ୍ ସମାଜର ପ୍ରତ୍ୟେକ ସ୍ତରର ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ୟା ଆଣିଛି । କିନ୍ତୁ ଗୋଟେ ବର୍ଗଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଛି, କିନ୍ନରଙ୍କ ଉପରେ । ବର୍ତ୍ତମାନ ନୋଏଡା ମେଟ୍ରୋ ରେଳ ନିଗମ କିନ୍ନରଙ୍କ ପାଇଁ ଏକ ନୂତନ ପଦକ୍ଷେପର ଆରମ୍ଭ କରିଛି । ସମାଜରେ କିନ୍ନରଙ୍କ ଭୂମିକାକୁ ବଢାଇବା ପାଇଁ ନୋଏଡା-ଗ୍ରେଟର ନୋଏଡା ଆକ୍ବା ମେଟ୍ରୋ ଲାଇନର ସେକ୍ଟର 50 ମେଟ୍ରୋ ଷ୍ଟେସନକୁ କିନ୍ନରଙ୍କୁ ସମର୍ପିତ କରିଛି । ଏହି ଷ୍ଟେସନରେ ସ୍ବତନ୍ତ୍ର ସୁବିଧା ସହ କିନ୍ନରଙ୍କୁ ରୋଜଗାର ଦିଆଯାଇଛି ।
ନୋଏଡା-ଗ୍ରେଟର ନୋଏଡା ଆକ୍ବା ମେଟ୍ରୋ ଲାଇନରେ ଅବସ୍ଥିତ ସେକ୍ଟର 50 ମେଟ୍ରୋ ଷ୍ଟେସନ ମହିଳାମାନଙ୍କ ପାଇଁ ପିଙ୍କ୍ ରୂପରେ ପ୍ରସ୍ତୁତ କରାଯାଇଥିଲା । ଏହା 8 ମାର୍ଚ୍ଚ 2020 ରେ ଆରମ୍ଭ କରାଯାଇଥିଲା । ସ୍ତନ୍ୟପାନ ଠାରୁ ଆରମ୍ଭ କରି ମେକ୍-ଅପ୍ ପାଇଁ ଏଠାରେ ସୁବିଧା କରାଯାଇଛି । ଏହା ସହିତ ଏଠାରେ ବହୁ ସଂଖ୍ୟକ ମହିଳା କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି ।
NMRC ର ପରିଚାଳନା ନିର୍ଦ୍ଦେଶକ ରିତୁ ମାହେଶ୍ବରୀ କହିଛନ୍ତି ଯେ 2011 ଜନଗଣନା ଅନୁଯାୟୀ ଭାରତରେ 4.90 ଲକ୍ଷ କିନ୍ନର ଅଛନ୍ତି। ସେଥିମଧ୍ୟରୁ 30 ରୁ 35 ହଜାର ଏନସିଆର ଅଞ୍ଚଳରେ ବାସ କରନ୍ତି । ରିତୁ ମାହେଶ୍ବରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି କିନ୍ନର ଷ୍ଟେସନ ମଧ୍ୟ ପିଙ୍କ୍ ଷ୍ଟେସନର ମାନ୍ୟତା ପାଇବା । ତେବେ ଏହା ସମସ୍ତ ପ୍ରକାର ଯାତ୍ରୀଙ୍କ ପାଇଁ ଖୋଲା ରହିବ । ଏହି ଷ୍ଟେସନରେ ନିର୍ମିତ ଶୌଚାଳୟର ଗଠନ ପରିବର୍ତ୍ତନ ହେବ । ଏହା ବ୍ୟତୀତ କିନ୍ନରଙ୍କ ପାଇଁ ପୃଥକ ସୁରକ୍ଷା ଯାଞ୍ଚ ଉପରେ ବିଚାର କରାଯାଉଛି।