ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ଜାରି ସଂଘର୍ଷ ମଧ୍ୟରେ ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କୌଣସି ଅପପ୍ରଚାର ଦେଶର ଏକତାକୁ ଭଙ୍ଗ କରିପାରିବନି ବୋଲି ଟ୍ବିଟ କରି କହିଛନ୍ତି ଗୃହମନ୍ତ୍ରୀ ।
ଗୃହମନ୍ତ୍ରୀ ଶାହ ନିଜ ଟ୍ବିଟରେ ଲେଖିଛନ୍ତି, କୌଣସି ପ୍ରଚାର ଏକତାକୁ ଭାଙ୍ଗିପାରିବ ନାହିଁ । କୌଣସି ଅପପ୍ରଚାର ଭାରତକୁ ନୂଆ ଉଚ୍ଚତା ପ୍ରାପ୍ତ କରିବାରୁ ରୋକିପାରିବ ନାହିଁ । ଅପପ୍ରଚାର ଭାରତର ଭାଗ୍ୟର ନିଷ୍ପତ୍ତି ନେଇପାରିବ ନାହିଁ । ଭାରତ ପ୍ରଗତୀ ପାଇଁ ଏକଜୁଟ ବୋଲି କହିଛନ୍ତି ଶାହ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି ।
ଭାରତରେ ଜାରି ଚାଷୀ ଆନ୍ଦୋଳନର ସମର୍ଥନରେ ବିଦେଶୀ ସେଲିବ୍ରିଟିଙ୍କ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ । ଏନେଇ ଶେଷରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଏହା ଉପରେ ଚେତାବନୀ ଦେବାକୁ ପଡିଥିଲା ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ବୟାନ ଜାରି କରାଯାଇଛି । ଭାରତ ପକ୍ଷରୁ କୁହାଯାଇଛି ଯେ ଏହା ଦେଖି ଦୁଃଖ ହେଉଛି ଯେ କିଛି ସଂଗଠନ ଓ ଲୋକ ନିଜ ବିଚାର ଲଦିଦେବା ପାଇଁ ଏପରି ବୟାନ ଜାରି କରୁଛନ୍ତି । କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ତଥ୍ୟ ଓ ପରିସ୍ଥିତିକୁ ଯାଞ୍ଚ କରିବା ଜରୁରୀ ବୋଲି ବୈଦେଶୀକ ମନ୍ତ୍ରଣାଳୟ କହିଛି ।
ବୈଦେଶିକ ମନ୍ତ୍ରଣାଳୟ କହିଛି, କୌଣସି ସ୍ଥିତିରେ ସେଲିବ୍ରିଟିଙ୍କ ଦ୍ବାରା ସମ୍ବେଦନଶୀଳ ଟ୍ବିଟ କରିବା ଦାୟିତ୍ବସମ୍ପନ୍ନ ପଦକ୍ଷେପ ନୁହେଁ । ଭାରତ ସରକାର ନିଜ ବୟାନରେ କହିଛନ୍ତି, ସଂସଦରେ ଦୀର୍ଘ ଘଣ୍ଟାର ଚର୍ଚ୍ଚା ପରେ ସମସ୍ତଙ୍କ ସମର୍ଥନରେ ନୂଆ ଆଇନ ପାରିତ ହୋଇଛି । କିଛି ଚାଷୀ ଏହା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।