ଭୋପାଲ: ନିୟମ ଭୁଲିଲେ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ର ତାଙ୍କ ନିଯୁକ୍ତି ପରେ ପ୍ରଥମ ଥର ନିଜ ସହର ଗସ୍ତରେ ଆସିଥିବା ବେଳେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିଛନ୍ତି । ଦାୟିତ୍ବ ଗ୍ରହଣ ପରେ ପ୍ରଥମଥର ଘରକୁ ଫେରିଥିବା ବେଳେ ତାଙ୍କୁ ପରିବାର ଲୋକ ସ୍ବାଗତ ସମ୍ବର୍ଦ୍ଧନା ଦେଉଥିବା ସମୟରେ ସେ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ର ଶନିବାର ଦିନ ନିଜ ସହର ଡାଟିଆ ଯାଇଥିଲେ। ସେ ତାଙ୍କ ସମର୍ଥକଙ୍କ ସହ ତାଙ୍କ ଘର ନିକଟକୁ ଆସିବାବେଳେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସ୍ବାଗତ ଜଣାଇଥିଲେ । ହେଲେ ଏହି ସମୟରେ ନା ମନ୍ତ୍ରୀ ନା ମନ୍ତ୍ରୀଙ୍କ ଧର୍ମପତ୍ନୀ କିମ୍ବା ପରିବାର ସଦସ୍ୟ କେହି ମଧ୍ୟ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିନଥିଲା ।
ତେବେ ମନ୍ତ୍ରୀଙ୍କ ସହ ଥିବା 12 ଜଣ ସମର୍ଥକ ମଧ୍ୟ ମାସ୍କ ପିନ୍ଧି ନଥିଲେ ଏବଂ ତାଙ୍କ ପଛରେ ଛିଡା ହୋଇଥିଲେ। ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ମଧ୍ୟ ଦେଖିବାକୁ ମିଳିନଥିଲା । ଏହି ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ସୁଦ୍ଧା ମଧ୍ୟପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2090 ରେପହଞ୍ଚିଛି । ଗତ 24 ଘଣ୍ଟାରେ 145 ଟି ନୂଆ ମାମଲା ସାମନାକୁ ଆସିଛି ।