ନୂଆଦିଲ୍ଲୀ: ମାଲେଗାଓଁ ବିସ୍ଫୋରଣ ମାମଲା ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହିବା ପରେ ବିବାଦ ଥମିବାରେ ନାଁ ନେଉ ନାହିଁ ।
ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗୋଡ୍ସେଙ୍କୁ ଦେଶଭକ୍ତ କହିବା ପରେ ଏହାକୁ ନେଇ ପ୍ରତିପକ୍ଷ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ବିଜେପି ଓ ପ୍ରଜ୍ଞାଙ୍କୁ ଟାର୍ଗେଟ କରୁଛନ୍ତି । ଏପରି ସ୍ଥଳେ ଏନଡିଏର ସହଯୋଗୀ ଦଳ ଜେଡି (ୟୁ)ର ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏପରି ବୟାନକୁ ବରଦାସ୍ତ କରାଯାଇ ପାରିବ ନାହିଁ । ପ୍ରଜ୍ଞାଙ୍କୁ ଦଳରୁ ବହିଷ୍କାର କରିବା କଥା ବିଜେପି ବିଚାର କରିବା ଆବଶ୍ୟକ ରହିଛି । ଅପରାଧ, ଭ୍ରଷ୍ଟାଚାର ଓ ସାମ୍ପ୍ରଦାୟିକତା ସହ ସାଲିସ ଜେଡି (ୟୁ) କରିବ ନାହିଁ ବୋଲି ସେ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍ (ଏମଏନଏମ) ରାଜନୀତିକ ଦଳର ପ୍ରତିଷ୍ଠାତା କମଲ ହାସନ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ହିନ୍ଦୁ ଉଗ୍ରବାଦୀ ବୋଲି ବିବାଦୀୟ ବୟାନ ଦେଇଥିଲେ । ଏହା ପରେ ସାଧ୍ୱୀ ପ୍ରଜ୍ଞା ନାଥୁରାମ ଗୋଡ଼ସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ ବୋଲି କହିଥିଲେ ।