ପାଟନା: ବିହାରରେ ଦିନକୁ ଦିନ ବଢୁଛି ଶିଶୁମୃତ୍ୟୁ ସଂଖ୍ୟା । ଏନସେଫାଲାଇଟିସ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି 136 ରୁ ଉର୍ଦ୍ଧ୍ବ ଶିଶୁ । କିନ୍ତୁ ଏହାକୁ ନେଇ ସରକାରଙ୍କ ତିଳେମାତ୍ର ଚିନ୍ତା ନାହିଁ । ନିର୍ବାଚନ ସମୟରେ ସର୍ବଦା ଗଣମାଧ୍ୟମରେ ବୟାନବାଜି କରୁଥିବା ନେତା ମନ୍ତ୍ରୀ ଏବେ ଯେପରି ମଉନ ବ୍ରତ ଧାରଣ କରିଛନ୍ତି ।
ପୂର୍ବରୁ ଶିଶୁମୃତ୍ୟୁକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିନଥିଲେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ଆଉ ଏବେ ସେହି ରାସ୍ତା ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ଶିଶୁମୃତ୍ୟକୁ ନେଇ ଜବାବ ଦେବା ବଦଳରେ ଓଲଟା ଗଣମାଧ୍ୟମ ଉପରେ ଗରମ ଦେଖାଇଛନ୍ତି । ଏଥିରୁ ସାଧାରଣ ଜନତାଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳତା ସ୍ପଷ୍ଟ ନଜର ଆସୁଛି ।
ସୂଚନା ମୁତାବକ, କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ରାଜ୍ୟସଭାର ନାମାଙ୍କନ ଭରିବା ପାଇଁ ଶୁକ୍ରବାର ପାଟନା ପହଞ୍ଚିଥିଲେ । ତାଙ୍କ ସହ ଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତେବେ ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ଶିଶୁମୃତ୍ୟୁକୁ ନେଇ ପ୍ରଶ୍ନ କରିଥିଲେ । କିନ୍ତୁ ନୀତିଶ ଏହାର ଜବାବ ନଦେଇ ସେମାନଙ୍କ ଉପରେ ରାଗିଯାଇଥିଲେ । ଏହା ସହିତ ଗଣମାଧ୍ୟମ ପ୍ରତିନିଧି ସବୁ ସୀମା ଉଲଙ୍ଘନ କରୁଛନ୍ତି ବୋଲି ସେ କହିଛନ୍ତି ।