ହାଇଦ୍ରାବାଦ: ସମୟରେ ରୋଗର ଚିହ୍ନଟ ଏବଂ ତା'ର ଚିକିତ୍ସା ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ବେଳେବେଳେ ଚିକିତ୍ସା ସମୟରେ ନକଲି ଉପକରଣ ଏବଂ ଔଷଧର ବ୍ୟବହାର ଯୋଗୁଁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇଥାଏ । ଯାହାଦ୍ବାରା ସମ୍ପୃକ୍ତ ରୋଗୀର ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ନକଲି କିମ୍ବା ଖରାପ ଉପକରଣ ଯୋଗୁଁ ଗୁରୁତର ହେଲେ କିମ୍ବା ପ୍ରାଣ ହରାଇଲେ ରୋଗୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା ଭାରତରେ ଲାଗୁ ହୋଇନାହିଁ । କିନ୍ତୁ ଏନେଇ ନୀତି ଆୟୋଗ ଏକ ବିଲ୍ ପ୍ରସ୍ତୁତ କରିଛି । ଯେଉଁଠି ଚିକିତ୍ସା ସମୟରେ ଖରାପ ଉପକରଣ ଯୋଗୁଁ ଗୁରୁତର ହେଉଥିବା ରୋଗୀଙ୍କୁ 1 କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାର ପ୍ରାବଧାନ ରହିଛି । ତେବେ ମେଡିକାଲ ଉପକରଣକୁ ଔଷଧ ଶ୍ରେଣୀରେ ରଖିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। କିନ୍ତୁ ନୀତି ଆୟୋଗ ଏହାକୁ ଅଲଗା ଶ୍ରେଣୀରେ ରଖିବାକୁ ପରାମର୍ଶ ଦେଇଥିଲା । ସମସ୍ତ ମେଡିକାଲ ଉପକରଣ ପାଇଁ ଏକ ନୂଆ ବିଲ ପ୍ରସ୍ତୁତ କରିବାକୁ ନୀତି ଆୟୋଗ କହିଥିଲା । ମେଡିକାଲ ଡିଭାଇସ(ସେଫ୍ଟି, ଇଫେକଟିଭନେସ ଆଣ୍ଡ ଇନୋଭେସନ)ବିଲ, 2019 । ଏଥିରେ ବିଦେଶରୁ ଆସୁଥିବା ଉପକରଣକୁ ମଧ୍ୟ ସାମିଲ କରିବାର ନିଷ୍ପତ୍ତି ନିଆଯାଇଥିଲା ।
ତେବେ ଏହା ଲାଗୁ ହେବା ପରେ ଭାରତୀୟ ମେଡିକାଲ ଉପକରଣ ନିର୍ମାଣ ଉଦ୍ୟୋଗ 50 ହଜାର କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଏହି ନୂଆ ନିୟମ ଅଧିନରେ ଉପକରଣର ତଦନ୍ତ ସରକାରଙ୍କ ଲ୍ୟାବ ଏବଂ ଦିଶା ନିର୍ଦ୍ଦେଶ ଅନୁଯାୟୀ ହେବ । ତେବେ ଏହି ନିୟମ ଲାଗୁ ହେବାପରେ ଦେଶରେ ମେଡିକାଲ ଉପକରଣର ବଜାରେ ସମନ୍ବୟ ବଜାୟ ରହିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ରହିଥିବା ନିୟମରେ ସିଡିଏସସିଓର ଖରାପ ବ୍ୟବସ୍ଥା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଚୀନ ଭଳି ଦେଶ ନିଜର ଖରାପ ମେଡିକାଲ ଉପକରଣ ବିରୋଧରେ ସର୍ବଦା କଡା ପଦକ୍ଷେପ ନେଇଆସୁଛି । ଭାରତରେ ମଧ୍ୟ ଏଭଳି ପଦକ୍ଷେପ ନେବା ପାଇଁ ଆଇନ ଏବଂ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ।
2 ବର୍ଷ ପୂର୍ବେ ଇଣ୍ଟରପୋଲ, ୱାର୍ଲ୍ଡ କଷ୍ଟମ ଅରଗାନାଇଜେସନ(ଡବ୍ଲୁସିଓ) ଏବଂ 123 ଟି ଦେଶ ଦ୍ବାରା ଚଳାଯାଇଥିବା ମିଳିତ ଅଭିଯାନରେ ଶହ ଶହ କୋଟି ମୂଲ୍ୟର ନକଲି ଔଷଧ ଏବଂ ମେଡିକାଲ ଉପକରଣ ଜବତ ହୋଇଥିଲା । ଏଭଳି ନକଲି ସାମଗ୍ରୀ ବିକ୍ରି କରୁଥିବା 300 ଟି ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତେବେ ଏହି ଚଢାଉରେ ଜବତ ହୋଇଥିବା ହଜାର ହଜାର ସଂଖ୍ୟାର ନକଲି ଛୁଞ୍ଚି, ଶ୍ରବଣ ଯନ୍ତ୍ର ଏବଂ ଅନ୍ୟ ଉପକରଣ ଲୋକ ସ୍ବାସ୍ଥ୍ୟ ସେବାର ଅବସ୍ଥା ସମ୍ପର୍କରେ ଅନେକ କିଛି ଅକୁହା କଥା କହୁଛି । ଆମେରିକାର ସବୁଠୁ ବଡ ମେଡିକାଲ ଉପକରଣ ପ୍ରସ୍ତୁତ କରୁଥିବା କମ୍ପାନୀ ମଧ୍ୟରୁ ଗୋଟିଏ ହେଉଛି ଜନସନ ଆଣ୍ଡ ଜନସନ କମ୍ପାନୀ । କିନ୍ତୁ ତା ବିରୋଧରେ ଲଗାତାର ଅଭିଯୋଗ ଆସୁଛି । ଏପରିକି ଏହି ଅଭିଯୋଗ ପାଇଁ ଅନେକ ଜୋରିମାନା ମଧ୍ୟ ଭରିଛି କମ୍ପାନୀ । ଏହା ଦ୍ବାରା ଆକଳନ କରାଯାଇପାରିବ ଯେ ବଡ ବଡ କମ୍ପାନୀ ମଧ୍ୟ ଖରାପ ଉପକରଣ ବିକ୍ରି କରିବାରେ ସାମିଲ ଅଛନ୍ତି । ତେବେ ଏହା ବିରୋଧରେ ଆମକୁ ସ୍ବର ଉତ୍ତଳନ କରିବାକୁ ହେବ । ସମସ୍ୟାର ସମାଧାନ କରିବା ପାଇଁ ସାଧାରଣ ଲୋକଙ୍କୁ ସରକାରଙ୍କୁ ସମର୍ଥନ ଦେବାକୁ ହେବ ।
ଭାରତରେ ମଧ୍ୟ ଏଭଳି ବିଭାଗର ଆବଶ୍ୟକତା ରହିଛି, ଯିଏ ମେଡିକାଲ ଉପକରଣରେ ହେଉଥିବା ହେରଫେର ଏବଂ ତା ସହ ଜଡିତ ଅନ୍ୟାନ୍ୟ ଅଭିଯୋଗର ଶୁଣାଣି କରି ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବ । ତେବେ ନୀତି ଆୟୋଗର ନୂଆ ବିଲ୍ରେ ଏହି ଅଭାବ ପୂରଣ ହେବ ବୋଲି ଆଶା କରାଯାଉଛି । ଯେଉଁ ବଡ କମ୍ପାନୀ ନିଜର ଖରାପ ଉପକରଣ ପାଇଁ ଅନ୍ୟ ଦେଶରେ ଭାରି ମାତ୍ରାର ଜୋରିମାନା ଭରୁଛନ୍ତି, ସେହି କମ୍ପାନୀଗୁଡିକୁ ଭାରତରେ ଆଶ୍ବସ୍ତି ମିଳୁଛି । ସେମାନେ ଅଳ୍ପ ଜୋରିମାନାରେ ମୁକୁଳି ଯାଉଛନ୍ତି । ଏଭଳି ପରିସ୍ଥିତିରେ ସୁଧାର ଆଣିବା ପାଇଁ କଡା ଆଇନର ଆବଶ୍ୟକତା ରହିଛି ।
ତେବେ ବିଶ୍ବରେ ବ୍ୟବହାର ହେଉଥିବା ମେଡିକାଲ ଉପକରଣ ମଧ୍ୟରୁ 8 ପ୍ରତିଶତ ନକଲି ହୋଇଥିବା ୱାର୍ଲ୍ଡ ହେଲ୍ଥ ଅରଗାନାଇଜେସନ(ଡବ୍ଲୁଏଚଓ) 2010 ରେ ପ୍ରକାଶ କରିଥିଲା । ଏହି ପରିପେକ୍ଷୀରେ ବଜାରରେ ବିକ୍ରି ହେଉଥିବା ନକଲି ଉପକରଣ ଉପରେ ରୋକ ଲଗାଇବା ପାଇଁ ଖୁବ ଶୀଘ୍ର ନିୟମ ଲାଗୁ କରିବାର ଆବଶ୍ୟକତା ରହିଛି । ସେହିପରି ଭାରତରେ ବିକ୍ରି ହେଉଥିବା ଔଷଧ ମଧ୍ୟରୁ 25 ପ୍ରତିଶତ ନକଲି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲା । ତେବେ ଏଭଳି ନକଲି ଔଷଧର ବିକ୍ରି ଚିନ୍ତାର ବିଷୟ ପାଲଟିଛି । ଏହି ନକଲି ଔଷଧ ମଧ୍ୟରେ ଆଣ୍ଟି ବାୟୋଟିକ, ମ୍ୟାଲେରିଆ ନିରାକରଣ ଔଷଧ ଓ ଗର୍ଭ ନିରୋଧକ ଔଷଧ ଅଧିକ ସାମିଲ ଅଛି । ତେବେ ଏଥିରୁ ଆକଳନ କରାଯାଇପାରିବ ଯେ ଭାରତରେ ସ୍ବାସ୍ଥ୍ୟ ସେବାର ଅବସ୍ଥା କ'ଣ ରହିଛି ।