ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫେବୃଆରୀ 1ରେ ହେବାକୁ ଥିବା ଫାଶୀଦଣ୍ଡ ଉପରେ ରହିତାଦେଶ ଜାରି କରିବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଗୁରୁବାର ଆବେଦନ ହୋଇଥିଲା । ଏହି ଆବେଦନ ଉପରେ ଶୁକ୍ରବାର କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆଜି ସନ୍ଧ୍ୟା ସୁଦ୍ଧା ଏହି ରାୟ ପ୍ରକାଶ ପାଇବ ବୋଲି କୋର୍ଟ କହିଛନ୍ତି ।
ଶୁଣାଣି ସମୟରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂହ କୋର୍ଟରେ ଯୁକ୍ତି ବାଢି କହିଥିଲେ, ଏହି ଦୋଷୀ ଆତଙ୍କବାଦୀ ନୁହଁନ୍ତି । ସେମାନେ ସମସ୍ତ ଆଇନ୍ଗତ ବିକଳ୍ପ ବ୍ୟବହାର ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ।
ଅନ୍ୟପକ୍ଷରେ ତିହାର ଜେଲ ପ୍ରଶାସନ ଧାର୍ଯ୍ୟ ତାରିଖରେ କେବଳ ବିନୟ ଶର୍ମାଙ୍କୁ ବାଦ୍ ଦେଇ ଅନ୍ୟ ତିନି ଜଣଙ୍କୁ ଫାଶୀ ଦେବାରେ କୌଣସି ଅସୁବିଧା ନଥିବା ସ୍ପଷ୍ଟ କରିଥିଲେ । ସେପଟେ ଜଣେ ଦୋଷୀର ଯାଚିକା ବିଳମ୍ବିତ ଥିଲେ ନିୟମ ଅନୁଯାୟୀ ଅନ୍ୟମାନଙ୍କୁ ମଧ୍ୟ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଏପି ସିଂହ କୋର୍ଟରେ ଯୁକ୍ତି ବାଢିଥିଲେ ।
ସୂଚନାଯୋଗ୍ୟ ଯେ, ଫେବୃଆରୀ 1 ରେ ହେବାକୁ ଥିବା ଫାଶୀ ଦଣ୍ଡ ଉପରେ ରହିତାଦେଶ ଜାରି କରିବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ଗତକାଲି ଆବେଦନ କରିଥିଲେ । ଦିଲ୍ଲୀ ଜେଲର ନିୟମ ଅନୁଯାୟୀ ସମାନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଅପରାଧୀଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯାଏ । ଜଣକୁ ମଧ୍ୟ ସେ ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ଅନ୍ତିମ ଦୋଷୀ ରାଜକ୍ଷମା ସମେତ ସମସ୍ତ ଆଇନ୍ଗତ ବିକଳ୍ପ ବ୍ୟବହାର ନକରୁଛି । ଏହି ପରିପ୍ରେକ୍ଷୀରେ ଫେବୃଆରୀ 1ରେ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ସେ ନିଜ ଆବେଦନରେ କହିଥିଲେ ।