ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖି ଡିଏସପି ଗିରଫ ହେବା ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶ କ୍ରମେ ଏହି ଘଟଣାରେ ଏନଆଇଏ ପକ୍ଷରୁ ମାମଲା ରୁଜୁ ହୋଇଥିବା ନେଇ ଜଣେ ଅଧିକାରୀ ଜଣାଇଛନ୍ତି। ଖୁବ ଶୀଘ୍ର ଏହି ମାମଲାର ତଦନ୍ତ ଆରମ୍ଭ କରାଯିବ।
ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗତ 11 ତାରିଖରେ ଜମ୍ମୁକାଶ୍ମୀର ପୋଲିସ ଡିଏସପି ଦାଭିନ୍ଦର ସିଂଙ୍କୁ ଗିରଫ କରିଥିଲା। ଦକ୍ଷିଣ କାଶ୍ମୀରରେ ହିଜବୁଲ କମାଣ୍ଡରଙ୍କ ସହ କାରରେ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । କାରରୁ ଏକେ-47, ପିସ୍ତଲ ଓ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା।
ଏପରିକି ଡିଏସପି ପଦରୁ ତାଙ୍କୁ ବରଖାସ୍ତ କରାଯାଇଥିଲା। ଗିରଫ ପରେ ଡିଏସପିଙ୍କୁ ଗୁଇନ୍ଦା ସଂସ୍ଥା, ଇଣ୍ଟେଲେଜେନ୍ସି ବ୍ୟୁରୋ(ଆଇବି) ଓ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ(ର) ପକ୍ଷରୁ ପଚରାଉଚରା କରାଯାଇଥିଲା ବେଳେ ଏ ଘଟଣାର ତଦନ୍ତ ଏନଆଇଏକୁ ପ୍ରଦାନ କରାଯାଇଛି।