ଅହମଦାବାଦ: ଗୁଜୁରାଟର ପଶ୍ଚିମ କଚ୍ଛ ଅଞ୍ଚଳରୁ ଏନଆଇଏ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି । ସେ ଆଇଏସଆଇ ପାଇଁ ଭାରତରେ କାମ କରୁଥିବା ଜଣାପଡିଛି । ଗିରଫ ଆଇଏସଆଇ ଏଜେଣ୍ଟ ରଜାଭାଇ କୁମବାରର ଉତ୍ତର ପ୍ରଦେଶ ଲିଙ୍କ ଥିବା ଏନଆଇଏରୁ ସୂଚନା ମିଳିଛି ।
ପଶ୍ଚିମ କଚ୍ଛ ଅଞ୍ଚଳର ମୁଣ୍ଡ୍ରାସ୍ଥିତ ତା ବାସଭବନରୁ ରଜାକୁ ଗିରଫ କରାଯାଇଛି। ଲୋକଙ୍କୁ ଦେଖାଇବା ପାଇଁ ସେ ଏଠାରେ ସୁପରଭାଇଜର ଭାବରେ କାର୍ଯ୍ୟ କରୁଥିଲା । କିନ୍ତୁ ବାସ୍ତବରେ ସେ ଜଣେ ଆଇଏସଆଇ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲା । ଏନଆଇଏ ରଜା ଘରେ ଚଢାଉ କରି କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ତା ନିକଟରୁ କିଛି ଗୁଇନ୍ଦା ସୂଚନା ମଧ୍ୟ ମିଳିଥିବା ଜଣାପଡିଛି ।
ଚଳିତ ବର୍ଷ ଜାନୁଆରୀ 19 ରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଗୋମତିନଗର ପୋଲିସ ଷ୍ଟେସନରେ ଏକ ମାମଲା ପଞ୍ଜିକୃତ ହୋଇଥିଲା । ଚାନ୍ଦୁଲିରୁ ଗିରଫ ହୋଇଥିବା ଆଇଏସଆଇ ଏଜେଣ୍ଟ ମହମ୍ମଦ ରାସିଦ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ରାସିଦର ଆଇଏସଆଇ ସହ ସମ୍ପର୍କ ଥିଲା | ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଅନେକଥର ପାକିସ୍ତାନ ଗସ୍ତ କରିଛି । ତେବେ ରାସିଦକୁ ଜେରା କରିବା ସମୟରେ ସେ ରଜାଭାଇ କୁମବାର ସମ୍ପର୍କରେ ସୂଚନା ଦେଇଥିଲା । ଏହି ସୂଚନା ଆଧାରରେ ଏନଆଇଏ ତାକୁ ଗିରଫ କରିଛି ।
ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ, ରାସିଦ ପାକିସ୍ତାନର ଆଇଏସଆଇ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲା । ସେ ଭାରତର କେତେକ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ଫଟୋ ପାକିସ୍ତାନକୁ ପଠାଇଥିଲା । କେବଳ ସେତିକି ନୁହେଁ, ସେ ପାକିସ୍ତାନରେ ଆଇଏସଆଇ ହ୍ୟାଣ୍ଡେଲର୍ ସହିତ ସଶସ୍ତ୍ର ବାହିନୀ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିଥିଲା ।
ତେବେ ଶୁକ୍ରବାର ଦିନ ରଜା ଘରେ ଚଢାଉ ବେଳେ ଜଣାପଡିଛି ଯେ, ରଜା ପେଟିଏମ୍ ମାଧ୍ୟମରେ ରିଜୱାନ୍ ନାମକ ଜଣେ ବ୍ୟକ୍ତିକୁ 5000 ଟଙ୍କା ଟ୍ରାନ୍ସଫର କରିଛି । ରିଜୱାନ୍ ଏହି ଟଙ୍କାକୁ ରାସିଦ ନିକଟକୁ ପଠାଇଥିଲା । ରାସିଦ ଭାରତର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ପଠାଇବା ପାଇଁ ତାକୁ ଏହି ଟଙ୍କା ଦିଆଯାଇଥିଲା ବୋଲି ଅନୁସନ୍ଧାନରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ