ଅରୁଣିମ ଭୁୟାଁ
ନୂଆଦିଲ୍ଲୀ: ଏ ମାସରେ ନୂଆଦିଲ୍ଲୀ ତିନିଟି ନୂତନ କୂଟନୈତିକ ନିଯୁକ୍ତି ଘୋଷଣା କରିଛି । ଏଥିରୁ ଏ ଅଞ୍ଚଳରେ ତଥା ପୂର୍ବ ଦିଗରେ ଅବସ୍ଥିତ ପଡ଼ୋଶୀ ଦେଶ ସୀମାରେ ଚୀନର ବିସ୍ତାରବାଦୀ ନୀତି ସମ୍ବଳିତ କାର୍ଯ୍ୟଧାରାକୁ ଏବଂ ଆଫଗାନିସ୍ତାନରେ ତାଲିବାନର ବର୍ଦ୍ଧିତ ପ୍ରଭାବକୁ ରଣକୌଶଳ ଭିତ୍ତିରେ ପ୍ରତିହତ କରିବା ଯୋଜନାର ଆଭାସ ମିଳୁଛି ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଅତିରିକ୍ତ ସଚିବ (ଅନ୍ତର୍ଜାତୀୟ ସଂଗଠନ ଏବଂ ସମ୍ମିଳନୀ) ବିକ୍ରମ ଦୋରାଇସ୍ବାମୀଙ୍କୁ ବାଂଲାଦେଶରେ ଭାରତର ନୂତନ ହାଇ କମିଶନର ରୂପେ ମନୋନୀତ କରାଯାଇଥିବା ବେଳେ ଜାକର୍ତ୍ତାରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଗଠନର କ୍ଷେତ୍ରୀୟ ମଣ୍ଡଳୀରେ ଭାରତର ପ୍ରତିନିଧି ରୂପେ କାର୍ଯ୍ୟରତ ରୁଦ୍ରେନ୍ଦ୍ର ଟଣ୍ଡନଙ୍କୁ ଆଫାଗାନିସ୍ତାନରେ ଭାରତର ନୂତନ ରାଷ୍ଟ୍ରଦୂତ ରୂପେ ନିଯୁକ୍ତି ଦିଆଯାଇଛି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଯୁଗ୍ମ ସଚିବ (ଆମେରିକା) ରୂପେ କାର୍ଯ୍ୟରତ ଗୌରାଙ୍ଗଲାଲ ଦାସଙ୍କୁ ତାଇୱାନରେ ଅବସ୍ଥିତ ଭାରତ- ତାଇପେଇ ସଂଗଠନର ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ପ୍ରଦାନ କରାଯାଇଛି ।
ଦେଶର ସୀମାକୁ କେନ୍ଦ୍ର କରି ଲଦାଖ ଅଞ୍ଚଳରେ ଚୀନ ସହ ଭାରତର ରକ୍ତାକ୍ତ ସଂଘର୍ଷ, ଦକ୍ଷିଣ ଏସିଆ, ଦକ୍ଷିଣ ଚୀନ ସାଗର ଏବଂ ପୂର୍ବ ଚୀନ ସାଗର କ୍ଷେତ୍ରରେ ବେଜିଂର ପ୍ରଭୁତ୍ବ ବିସ୍ତାର ଆଭିମୁଖ୍ୟ ଏବଂ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ତାଲିବାନର ବର୍ଦ୍ଧିତ ଭୂମିକା ପ୍ରସଙ୍ଗ ବିଚାରକୁ ନେଲେ ଏହି ତିନିଟି ନୂତନ ନିଯୁକ୍ତି ବେଶ୍ ମହତ୍ତ୍ବପୂର୍ଣ୍ଣ ମନେହୁଏ ।
1992 ବ୍ୟାଚ୍ର ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ ଦୋରାଇସ୍ବାମୀ, ଏଭଳି ଏକ ସମୟରେ ବାଂଲାଦେଶକୁ ଯାଉଛନ୍ତି, ଯେଉଁ ସମୟରେ ଦକ୍ଷିଣ ଏସିଆରେ ଆଧିପତ୍ୟ ବିସ୍ତାର କରିବା ଲାଗି ବେଜିଂ, ଢାକାକୁ ପ୍ରଲୋଭିତ କରିବାର ପ୍ରୟାସକୁ ତ୍ବରାନ୍ବିତ କରିବାରେ ଲାଗିଛି ।
କକ୍ସ ବଜାର ଜିଲ୍ଲାର ପେକୁଆରେ ବିଏନ୍ଏସ୍ ହସୀନା ବୁଡ଼ାଜାହାଜ ଘାଟିର ବିକାଶ ଏବଂ ବାଂଲାଦେଶ ନୌସେନାକୁ ଦୁଇଟି ବୁଡ଼ାଜାହାଜ ପ୍ରଦାନ କରିବା ସହିତ ଭାରତର ପୂର୍ବବର୍ତ୍ତୀ ପଡ଼ୋଶୀ ରାଷ୍ଟ୍ରରେ ଚୀନ ଏହାର ପ୍ରତିରକ୍ଷା ପ୍ରକଳ୍ପ ସ୍ଥାପନ କାର୍ଯ୍ୟକୁ ତ୍ବରାନ୍ବିତ କରିଛି । ଭାରତ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ଯେ, ଚୀନ ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ମାନସ ସନ୍ତାନ ରୂପେ ପରିଚିତ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ (BRI) ଶୀର୍ଷକ ଅନ୍ତର୍ଜାତୀୟ ପ୍ରକଳ୍ପ ସମୂହକୁ ବାଂଲାଦେଶ ପ୍ରଧାନ ମନ୍ତ୍ରୀ ଶେଖ ହସୀନା ସ୍ବୀକାର କରି ନେଇଛନ୍ତି ।
BRI ଅନ୍ତର୍ଗତ ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (CPEC) ଶୀର୍ଷକ ଏକ ପ୍ରମୁଖ ପ୍ରକଳ୍ପ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ଦେଇ ଯାଉଥିବା କାରଣରୁ ଭାରତ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛି । ଅନେକ କ୍ଷୁଦ୍ର ରାଷ୍ଟ୍ରକୁ ଋଣ ଯନ୍ତାରେ ପକାଇବାକୁ ଚୀନ ଉଦ୍ୟମ କରୁଥିବା କାରଣରୁ ଶି ଜିନ୍ପିଙ୍ଗଙ୍କ BRIକୁ ବିଶ୍ବର ବିଭିନ୍ନ ବୃହତ୍ ଶକ୍ତି ସମାଲୋଚନା କରିଆସୁଛନ୍ତି ।
ଯଦିଓ ଦକ୍ଷିଣ ଏସିଆ ରାଷ୍ଟ୍ର ସମୂହ ମଧ୍ୟରୁ ବାଂଲାଦେଶ ଭାରତ ସହ ଅତି ନିବିଡ଼ ସଂପର୍କ ରକ୍ଷା କରିଆସିଛି, ତଥାପି, ବଙ୍ଗୋପସାଗରରେ ଚୀନର ସାମୁଦ୍ରିକ ଯାତାୟାତ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ ଢାକା ରାଜି ହୋଇଛି । ଭାରତ ପାଇଁ ଆଉ ଏକ ଚିନ୍ତାର କାରଣ ହେଲା ଯେ, ଚୀନର ସିନୋଭାକ୍ ବାୟୋଟେକ୍ ଲିମିଟେଡ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ହେବାକୁ ଥିବା କୋଭିଡ-19 ପ୍ରତିଷେଧକ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ବାଂଲାଦେଶର ରାଷ୍ଟ୍ରୀୟ ଭେଷଜ ଗବେଷଣା ସଂସ୍ଥା ଅନୁମୋଦନ ପ୍ରଦାନ କରିଛି ।
ଗତ ବର୍ଷ ଅକ୍ଟୋବର ମାସରେ ବାଂଲାଦେଶ ପ୍ରଧାନ ମନ୍ତ୍ରୀ ଶେଖ ହସୀନା ଭାରତ ଗସ୍ତରେ ଆସିଥିବା ସମୟରେ ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ସଂପାଦିତ ସାତଟି ବୁଝାମଣାପତ୍ରରେ ସ୍ବାକ୍ଷର କରିବା ସହିତ ତିନିଟି ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ କରିଥିଲେ ହେଁ ଏବେ ଏହି ସ୍ଥିତି ଦେଖାଦେଇଛି । ଭାରତ ସହିତ, ନିର୍ଦ୍ଦିଷ୍ଟ ଭାବରେ ଉତ୍ତର ପୂର୍ବ ଭାରତ ସହିତ ଜଳପଥରେ ଗମନାଗମନ ଲାଗି ବାଂଲାଦେଶର ଚଟ୍ଟୋଗ୍ରାମ ଏବଂ ମୋଙ୍ଗଲା ବନ୍ଦର ଉପଯୋଗ କରିବା, ଭାରତରେ ତ୍ରିପୁରାର ସୋନାମୁରାରୁ ବାଂଲାଦେଶର ଦାଉଦକାନ୍ତି ମଧ୍ୟରେ ଜଳପଥରେ ବାଣିଜ୍ୟ କାରବାର କରିବା ଏବଂ ନୂଆଦିଲ୍ଲୀ ଦ୍ବାରା ଢାକାକୁ 8 ବିଲିଅନ୍ (ଶହ କୋଟି) ଡଲାରର ଋଣ ସୁବିଧା ଉପଲବ୍ଧ କରାଇବାର ପ୍ରତିଶ୍ରୁତି ପ୍ରଭୃତି ପ୍ରସଙ୍ଗ ବୁଝାମଣାରେ ସାମିଲ ହୋଇଥିଲା । ଉଭୟ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ଏବଂ ବାଣିଜ୍ୟିକ ସମ୍ବନ୍ଧ ବଢ଼ାଇବା ଲାଗି ରେଳ ଓ ଅନ୍ୟାନ୍ୟ ସଂଯୋଗୀକରଣ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ଦିଗରେ ଦୁଇ ଦେଶ କାର୍ଯ୍ୟରତ ଅଛନ୍ତି ।
ଚୂଡ଼ାନ୍ତ ତିନିଟି ପ୍ରକଳ୍ପରେ ବାଂଲାଦେଶରୁ ବହୁ ପରିମାଣରେ ରନ୍ଧନ ଗ୍ୟାସ୍ (LPG) ଆମଦାନୀ, ଢାକାସ୍ଥିତ ରାମକୃଷ୍ଣ ମିଶନରେ ଏକ ବିବେକାନନ୍ଦ ଭବନ (ଛାତ୍ରଛାତ୍ରୀଙ୍କ ହଷ୍ଟେଲ) ସ୍ଥାପନ ଏବଂ ବାଂଲାଦେଶର ଖୁଲନାରେ ଅବସ୍ଥିତ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଡିପ୍ଲୋମା ଇଞ୍ଜିନିୟର୍ସ ବାଂଲାଦେଶ (IDEB)ରେ ବାଂଲାଦେଶ ଓ ଭାରତ ବୃତ୍ତିଗତ କୌଶଳ ବିକାଶ ସଂସ୍ଥା (BIPSDI) ସ୍ଥାପନ ପ୍ରସ୍ତାବ ରହିଥିଲା ।
ଏହି କାରଣରୁ, ବାଂଲାଦେଶରେ ଭାରତର ରାଷ୍ଟ୍ରଦୂତ ରୂପେ ଦୋରାଇସ୍ବାମୀଙ୍କ ନିଯୁକ୍ତିକୁ, ଢାକାକୁ ପ୍ରଲୋଭିତ କରିବା ଲାଗି ବେଜିଂର ଉଦ୍ୟମକୁ ପ୍ରତିହତ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀର ରଣକୌଶଳ ଭିତ୍ତିକ ପଦକ୍ଷେପ ବୋଲି ବିଚାର କରାଯାଉଛି । ମାଣ୍ଡାରିନ୍ ବା ଚୀନର ଭାଷା ଏବଂ ଫରାସୀ ଭାଷାରେ ଦକ୍ଷ ଦୋରାଇସ୍ବାମୀ ଏହା ପୂର୍ବରୁ ନୂଆଦିଲ୍ଲୀସ୍ଥିତ ବୈଦେଶିକ ବ୍ୟାପାର ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ଯୁଗ୍ମ ସଚିବ (ଆମେରିକା) ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ବିଭାଗର ମୁଖ୍ୟ ରୂପେ ଦାୟିତ୍ବ ତୁଲାଇଛନ୍ତି ।
ଜାପାନର ପୂର୍ବ ଉପକୂଳରୁ ଆରମ୍ଭ କରି ଆଫ୍ରିକାର ପୂର୍ବ ଉପକୂଳ ଯାଏଁ ବିସ୍ତୃତ କ୍ଷେତ୍ରରେ ଚୀନର ପ୍ରଭାବ ବିସ୍ତାର ଉଦ୍ୟମ ବୃଦ୍ଧି ପାଉଥିବା ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଏବଂ ସମୃଦ୍ଧି ସ୍ଥାପନ ଦିଗରେ କାର୍ଯ୍ୟ କରିବାକୁ ଗଠିତ ଚତୁର୍ଦେଶୀୟ ମେଣ୍ଟ ବା କ୍ବାଡ୍ରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ଭାରତ ସଦସ୍ୟ ରହିଛି ।
ଏହି ପରିପ୍ରେକ୍ଷୀରେ, 1999 ବ୍ୟାଚ୍ର ଆଇଏଫ୍ଏସ୍ ଅଧିକାରୀ ଦାସଙ୍କୁ ତାଇୱାନରେ ଭାରତର ରାଷ୍ଟ୍ରଦୂତ ରୂପେ ନିଯୁକ୍ତିକୁ ମଧ୍ୟ ନୂଆଦିଲ୍ଲୀର ଏକ ରଣକୌଶଳ ଭିତ୍ତିକ ପଦକ୍ଷେପ ବୋଲି ବିଚାର କରାଯାଉଛି । ସାମୁଦ୍ରିକ ସୀମା ଅଧିକାରକୁ କେନ୍ଦ୍ର କରି ଦକ୍ଷିଣ ଚୀନ ସାଗରରେ ବିଭିନ୍ନ ରାଷ୍ଟ୍ର ସହ ଏବଂ ପୂର୍ବ ଚୀନ ସାଗରରେ ଅବସ୍ଥିତ ସେନକାକୁ ଦ୍ବୀପପୁଞ୍ଜ ଉପରେ ଅଧିକାରକୁ କେନ୍ଦ୍ର କରି ଜାପାନ ସହିତ ବିବାଦରେ ସଂପୃକ୍ତ ଚୀନର ଆକ୍ରମଣାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଏବଂ ନିକଟ ଅତୀତରେ ଚୀନର ଲଢୁଆ ଜେଟ୍ ବିମାନ ବାରମ୍ବାର ତାଇୱାନର ଆକାଶ ପଥରେ ଅନୁପ୍ରବେଶ କରୁଥିବା ସମୟରେ ଦାସଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।
ବୁଧବାର ଦିନ ତାଇୱାନର ବୈଦେଶିକ ମନ୍ତ୍ରୀ ଯୋସେଫ ୱୁ କହିଛନ୍ତି ଯେ, ଗତ କେଇ ମାସ ହେଲା ନୌସେନା ଅଭ୍ୟାସ ଏବଂ ଆକାଶ ପଥରେ ବାରମ୍ବାର ଅନୁପ୍ରବେଶ ବଳରେ ପୂର୍ବ ଏସିଆର ଏହି ଦ୍ବୀପାଞ୍ଚଳ ରାଷ୍ଟ୍ରକୁ ଅତିକ୍ରମ କରିବା ଦିଗରେ ଚୀନ ଏହାର ସାମରିକ ପ୍ରସ୍ତୁତିକୁ ଜୋରଦାର କରିଛି । ଭାରତ ଓ ତାଇୱାନ ମଧ୍ୟରେ ‘ୱାନ୍ ଚାଇନା ପଲିସି’ ବା ଏକୀକୃତ ଚୀନ ନୀତି ଅନ୍ତର୍ଗତ ଆନୁଷ୍ଠାନିକ କୂଟନୈତିକ ସମ୍ବନ୍ଧ ନାହିଁ । କିନ୍ତୁ ତାଇପେଇରେ ଭାରତ-ତାଇପେଇ ସଂଗଠନ ନୂଆଦିଲ୍ଲୀର ପ୍ରତିନିଧିତ୍ବ କରିଆସୁଛି ଏବଂ ଦାସ ଏହି ସଂଗଠନର ନୂତନ ମହା ନିର୍ଦ୍ଦେଶକ ରୂପେ ନିଯୁକ୍ତି ପାଇଛନ୍ତି । ଅନୁରୂପ ଭାବେ ନୂଆଦିଲ୍ଲୀରେ ଅବସ୍ଥିତ ତାଇୱାନ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର ଭାରତରେ ଏହି ଦ୍ବୀପ ରାଷ୍ଟ୍ରର ପ୍ରତିନିଧିତ୍ବ କରୁଛି ।
ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍ଙ୍କ ନେତୃତ୍ବରେ ତାଇୱାନ ଏକ ନୂତନ ଦକ୍ଷିଣ ଅଭିମୁଖୀ ନୀତି ଅନୁସରଣ କରୁଛି ଏବଂ ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ଏସିଆ ଏବଂ ଅଷ୍ଟ୍ରେଲେସିଆର 18ଟି ଦେଶ ସହିତ ସହଯୋଗ ଓ ବିନିମୟ ବୃଦ୍ଧି କରିବା ଦିଗରେ ଉଦ୍ୟମ କରୁଛି । ଦାସ ଚୀନର ମାଣ୍ଡାରିନ ଭାଷାରେ ବେଶ୍ ଦକ୍ଷ ଏବଂ ପୂର୍ବରୁ ଦୁଇ ଥର ବେଜିଂସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଛନ୍ତି । ମନମୋହନ ସିଂହଙ୍କ ଶାସନ କାଳରେ ସେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପ ସଚିବ ଏବଂ ୱାଶିଂଟନ୍ର ଭାରତୀୟ ଦୂତାବାସରେ କାଉନ୍ସେଲର ପଦବୀରେ ମଧ୍ୟ ଦାୟିତ୍ବ ତୁଲାଇଥିଲେ ।
ଇତିମଧ୍ୟରେ ଆଫଗାନିସ୍ତାନରେ ଭାରତର ରାଷ୍ଟ୍ରଦୂତ ରୂପେ ଟଣ୍ଡନଙ୍କ ନିଯୁକ୍ତିକୁ ମଧ୍ୟ ପର୍ଯ୍ୟବେକ୍ଷକମାନେ ଉତ୍ସୁକତାର ସହ ସମୀକ୍ଷା କରୁଛନ୍ତି । ଆଫଗାନିସ୍ତାନ ତାଲିବାନର କ୍ଷମତା କେନ୍ଦ୍ରରେ ପରିବର୍ତ୍ତନ ଘଟୁଥିବା ଏବଂ ଦକ୍ଷିଣ ଏସିଆର ଏହି ଦେଶରେ ଶାନ୍ତି ସ୍ଥାପନ ପ୍ରକ୍ରିୟାର ଫଳସ୍ବରୂପ ଆମେରିକାର ସେନା ପ୍ରତ୍ୟାହାର ଜାରି ରହିଥିବା ସମୟରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ।
କେତେକ ରିପୋର୍ଟ ଅନୁସାରେ, ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁନ୍ଜାଦା କୋଭିଡ୍ ଭୂତାଣୁରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କର ‘ସମ୍ଭବତଃ ମୃତ୍ୟୁ’ ହୋଇଯାଇଛି । ପାକିସ୍ତାନ ସମର୍ଥିତ ହକ୍କାନି ନେଟ୍ୱର୍କର ମୁଖ୍ୟ ଏବଂ ତାଲିବାନର ଉପ ମୁଖ୍ୟ ନେତା ସିରାଜୁଦ୍ଦିନ ହକ୍କାନି ମଧ୍ୟ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହା ଫଳରେ ଅନ୍ୟତମ ଉପନେତା ମହମ୍ମଦ ୟାକୁବ ସଂଗଠନର ପରିଚାଳନାଗତ ନିୟନ୍ତ୍ରଣ ଅଧିକାର ହାସଲ କରିଛନ୍ତି । ୟାକୁବ ଆମେରିକା ସହ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରୁଛନ୍ତି ଏବଂ ଭାରତ ସହିତ ମୈତ୍ରୀ ସ୍ଥାପନ କରିବାକୁ ଆଗ୍ରହୀ ବୋଲି ବିଶ୍ବାସ କରାଯାଉଛି ।
ଶାନ୍ତି ପ୍ରକ୍ରିୟା ଜାରି ରହିଥିବା ସମୟରେ ତାଲିବାନ ସହ ବାର୍ତ୍ତାଳାପ ନକରିବା ଲାଗି ସରକାରୀ ସ୍ତରରେ ଭାରତ ନୀତି ଗ୍ରହଣ କରିଛି । ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟା ସଂପର୍କରେ ଭାରତର ଆଭିମୁଖ୍ୟ ହେଉଛି ଯେ ଏହା ‘ଆଫଗାନିସ୍ତାନ ନେତୃତ୍ବରେ, ଆଫଗାନିସ୍ତାନ ଅଧିକାରରେ ଏବଂ ଆଫଗାନିସ୍ତାନ ନିୟନ୍ତ୍ରଣରେ’ ହେବା ଉଚିତ । ଆଫଗାନିସ୍ତାନକୁ ସହାୟତା ଯୋଗାଣରେ ଭାରତ ବୃହତ୍ତମ କ୍ଷେତ୍ରୀୟ ଦେଶ ହୋଇଥିଲେ ହେଁ, ପ୍ରମୁଖ ଭୂମିକାରେ ଆମେରିକା ରହି ସଂପାଦିତ ହୋଇଥିବା ବହୁପାକ୍ଷିକ ଶାନ୍ତି ଆଲୋଚନାରୁ ଭାରତ ଦୂରେଇ ରହିଛି । ଏକା ସମୟରେ, ଶାନ୍ତି ପ୍ରକ୍ରିୟାରେ ଭାରତର ସମର୍ଥନକୁ ସମ୍ମିଳିତ କରିବା ଲାଗି ୱାଶିଂଟନ ଆଗ୍ରହ ପ୍ରକାଶ କରିଆସୁଛି ଏବଂ ଏ ସଂକ୍ରାନ୍ତରେ ଆଫଗାନିସ୍ତାନ ବୁଝାମଣାରେ ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ରାଷ୍ଟ୍ରଦୂତ ଜାଲ୍ମୀ ଖାଲିଜାଦ ନିୟମିତ ଭାବେ ନୂଆଦିଲ୍ଲୀର ବିଭିନ୍ନ ବିଭାଗ ସହିତ ଆଲୋଚନା କରିଆସୁଛନ୍ତି ।
ସୁତରାଂ, ଏହି ଯୁଦ୍ଧବିଧ୍ବସ୍ତ ଦେଶରେ ଭାରତର ନୂତନ ରାଷ୍ଟ୍ରଦୂତ ନିଯୁକ୍ତି ପ୍ରସଙ୍ଗ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମନେ ହେଉଛି । ଟଣ୍ଡନ ପୂର୍ବରୁ କାବୁଲରେ ଅବସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଛନ୍ତି ଏବଂ ଜଲାଲାବାଦରେ କନ୍ସୁଲ ଜେନେରାଲ ଭାବେ ଦାୟିତ୍ବ ତୁଲାଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ତାଙ୍କୁ ଆଫଗାନ ପ୍ରସଙ୍ଗର ଜଣେ ବିଶେଷଜ୍ଞ ରୂପେ ବିବେଚନା କରାଯାଏ ଏବଂ ସେ ପାକିସ୍ତାନ-ଫଗାନିସ୍ତାନ-ଇରାନ ଡେସ୍କରେ ଯୁଗ୍ମ ସଚିବ ଥିଲେ ।