ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ତେବେ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ପରେ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟସଭାର ନବନିର୍ବାଚିତ ସାଂସଦ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ଶିବୁ ସୋରେନ ଏବଂ ଡିଏମକେର ଟି ଶିବା ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ 2 ସାଂସଦଙ୍କୁ ଶପଥ ଗ୍ରହଣ କରାଇଥିଲେ । ତେବେ ଶପଥ ଗ୍ରହଣ ସମୟରେ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସଦଙ୍କ ଦ୍ବାରା ବ୍ୟବହୃତ କଲମକୁ ପରିବର୍ତ୍ତନ କରାଯାଉଥିବାର ଦେଖିବାକୁ ମିଳିଛି । ତେବେ କିଛି ଦିନ ତଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।
ସଂସଦର ରାଜ୍ୟସଭାରେ ଜାରି ରହିଛି ଗୃହକାର୍ଯ୍ୟ । ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ । ଅପରାହ୍ନ 4ଟା 40 ଯାଏଁ ରାଜ୍ୟସଭାକୁ ମୁଲତବୀ କରାଯାଇଛି । ଦିବଙ୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ତଥା ସମ୍ମାନ ଜଣାଇବା ପାଇଁ ଗୃହକୁ ମୁଲତବୀ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।