ନୂଆଦିଲ୍ଲୀ: ଆସନ୍ତା 4 ତାରିଖରୁ କୋରୋନା ଦ୍ବାରା କମ ପ୍ରଭାବିତ ଜିଲ୍ଲା ଗୁଡିକରେ କଟକଣା କୋହଳ କରାଯିବ । ଏନେଇ ଏକ ନୂତନ ନିର୍ଦ୍ଦେଶାନାମା ଜାରି କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
ଗୃହ ବିଭାଗ ମନ୍ତ୍ରଣାଳୟ ବୁଧବାର ପ୍ରକାଶ କରିଛି ଯେ, ବିଭିନ୍ନ ଜିଲ୍ଲାରେ ଲାଗୁ ହୋଇଥିବା କଠୋର ନିୟମକୁ କୋହଳ କରାଯିବା । ଏହା ସହ ଏ ସଂପର୍କିତ ନୂତନ ନିର୍ଦ୍ଦେଶାବଳୀ ଆସନ୍ତା 4 ତାରିଖରୁ କାର୍ଯ୍ୟକାରୀ ହେବ ।
ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟରରେ କୁହାଯାଇଛି, ‘COVID19 ସହିତ ଲଢିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ମେ 4ରୁ ଲାଗୁ ହେବ, ଯାହା ଅନେକ ଜିଲ୍ଲା ପାଇଁ ଆଶ୍ବସ୍ତିର କାରଣ ହେବ । ଏ ସଂପର୍କରେ ଆଗାମୀ ଦିନରେ ସବିଶେଷ ତଥ୍ୟ ପ୍ରକାଶ କରାଯିବ ।’
ବର୍ତ୍ତମାନ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏହି ଲକଡାଉନ ଆସନ୍ତା ମେ 3 ତାରିଖରେ ଶେଷ ହେବ । ତେଣୁ ବିଭିନ୍ନ ରାଜ୍ୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି ।
ଗୁରୁବାର ସୁଦ୍ଧା ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 33050ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 1074ରେ ପହଞ୍ଚିଛି । ସେହିପରି 23651 ଜଣ ଚିକିତ୍ସିତ ହେଉଥିବା ବେଳେ 8325 ଜଣ ଡିସଚାର୍ଜ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
@ANI