ଏ. ସୂର୍ଯ୍ୟପ୍ରକାଶ
ସୁଶାନ୍ତ ସିଂହ ରାଜପୁତଙ୍କ ଆକସ୍ମିକ ତଥା ଦୁଃଖଦ ବିୟୋଗ ଯେଉଁଭଳି ରହସ୍ୟଜନକ ଅବସ୍ଥାରେ ଘଟିଲା ତାହା ଏକ ବିରାଟ ବିତର୍କ ସୃଷ୍ଟି କରିଛି। ବଲିଉଡରେ ଯେଉଁସବୁ ଭୁଲ୍ କାମ ହେଉଛି, ବିଶେଷ କରି ଚଳଚ୍ଚିତ୍ର ଜଗତରେ ରହୁଥିବା ଅନୈତିକ ସମ୍ପର୍କ ଏବଂ ବାହାର କଳାକାରମାନଙ୍କ ପ୍ରତି ଶତ୍ରୁତା ନହେଲେ ମଧ୍ୟ ଯେପରି ଭାବେ ନିରୁତ୍ସାହିତ କରାଯାଉଛି ଏସବୁକୁ ନେଇ ଏବେ ସବୁଠି ଚାଲିଛି ଜୋରଦାର ଚର୍ଚ୍ଚା।
ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁର କାରଣ ନେଇ ଏବେ ବି ଯାଞ୍ଚ କରୁଥିବା ବେଳେ ବଲିଉଡରେ ନିଜ ସ୍ଥାନ ପକ୍କା କରିବା ପାଇଁ ଏମିତି ଆଉ ଜଣେ “ବାହାର କଳାକାର” ତଥା ସୁଶାନ୍ତଙ୍କ ସହଯୋଗୀ କଙ୍ଗନା ରାଣାୱତ ମୁମ୍ବାଇରେ ରହିଥିବା “ମୁଭି ମାଫିଆ” ଏବଂ ପକ୍ଷପାତିତା କଥା ଉଠାଇ ବିରୁଡି ବସାରେ ହାତ ମାରିଛନ୍ତି। ନିକଟରେ ଏକ ଘରୋଇ ଚ୍ୟାନେଲକୁ କଙ୍ଗନା ଦେଇଥିବା ଏକ ସାକ୍ଷାତକାରରୁ ବଲିଉଡର ଅନେକ ଭିତିରି କଥା ପଦାକୁ ଆସିଛି ଏବଂ ପକ୍ଷପାତିତା ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି।
ସୁଶାନ୍ତ ସିଂହଙ୍କ ଦୁଃଖଦ ଅନ୍ତ ପରେ “ବଲିଉଡ୍ ମାଫିଆ”ଙ୍କ ବିରୁଦ୍ଧରେ ଗୋଟିଏ ଅଭିଯୋଗ ହେଲା ବାହାରୁ ଆସୁଥିବା ପ୍ରତିଭାମାନଙ୍କୁ ସେମାନେ ଚଳଚ୍ଚିତ୍ର ଦୁନିଆରୁ ଦୂରେଇ ରଖିବା ସହ ଅତି ମାମୁଲି କଳାକାର (ପ୍ରସିଦ୍ଧି ହାସଲ କରିଥିବା ଚିତ୍ରତାରକାଙ୍କ ପୁଅ ଝିଅ)ଙ୍କୁ ଆଗକୁ ଯିବାକୁ ସୁଯୋଗ ଦେଉଛନ୍ତି। ଏହା କହିବା ଅର୍ଥ ନୁହେଁ ଯେ ତାରକାମାନଙ୍କ ପୁଅ ଝିଅମାନଙ୍କର ପ୍ରତିଭା ନାହିଁ। ଏମାନଙ୍କ ମଧ୍ୟରୁ ଅନେକ ବହୁତ ସୁନ୍ଦର କଳାକାର ଭାବେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ଚାଲିଛନ୍ତି। କିନ୍ତୁ, ସେମାନେ ନିରାପଦରେ ରହୁଛନ୍ତି ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ।
ମଜା କଥା ହେଉଛି, ଲୁଟେନସ ଦିଲ୍ଲୀ ହେଉ ବା ଦେଶର ଅନ୍ୟ ଯେ କୌଣସି ଭାଗ ହେଉ ରାଜନୀତିରେ ଯାହା ସବୁ ଘଟୁଛି, ମୁମ୍ବାଇର ସିନେମା ଦୁନିଆରେ ବି ଠିକ୍ ସେଇୟା ଦେଖିବାକୁ ମିଳୁଛି। ପକ୍ଷପାତିତା ଏବେ ଏତେ ଭିତରକୁ ପଶିଗଲାଣି ଯାହାକି ଆମ ଜୀବନର ଏକ ମାଧ୍ୟମ ପାଲଟିଗଲାଣି। ଅବଶ୍ୟ ଏହା ଜାଣିବାରେ ଅନେକ ବିଳମ୍ବ ହୋଇଗଲାଣି, ତଥାପି ଆମକୁ ଏବେ ଏହା ବୁଝି ଏଥିରୁ ଦୂରେଇ ରହିବାକୁ ପଡିବ ନଚେତ୍ ଗଣତାନ୍ତ୍ରିକ ଧର୍ମକୁ ଏହା ଧ୍ସଂସ କରିଦେବ। ସମସ୍ତେ ଆଉ ସୁବିଧା ସୁଯୋଗ ପାଇବେ ନାହିଁ।
କଙ୍ଗନାଙ୍କ ସମସ୍ତ ଅଭିଯୋଗର ଅସଲ ଟାର୍ଗେଟରେ ଥିବା ନିର୍ମାତା-ନିର୍ଦ୍ଦେଶକ କରନ ଜୋହର କିନ୍ତୁ ସିନେନା ଶିଳ୍ପରେ ପକ୍ଷପାତିତା ନେଇ ଉଠିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ସର୍ବସାଧାରଣରେ କହିଛନ୍ତି ଯେ, ଯେତେବେଳେ ଜଣେ ନିର୍ମାତା ଏକ ଚିତ୍ର ତାରକାଙ୍କ ପୁଅକୁ ନେଇ ଫିଲମ ଆରମ୍ଭ କରେ ସେ ପ୍ରକୃତରେ ନିଜ ପାଇଁ “ନିରାପଦ ଜୋନ୍” ଦେଖିଥାଏ କାରଣ ଏହା ବି ନିର୍ମାତାଙ୍କ ପାଇଁ ଏକ ବ୍ୟାବସାୟ। “ଏକ ବଡ଼ ଚିତ୍ରତାରକାଙ୍କ ପୁଅ ସମସ୍ତଙ୍କର ନଜରରେ ଥାଏ....ଯେହେତୁ ଟଙ୍କା ଖଟାଯାଇଥାଏ, ସୁତରାଂ କେହି ବ୍ୟବସାୟରେ ବିଫଳ ହେବା ଚାହିଁବେ ନାହିଁ”।
ଅନ୍ୟ ଭାଷାରେ ତାଙ୍କର କହିବା କଥା ହେଲା, ନିର୍ମାତାମାନେ ଯେତେବେଳ ସେହି (ପକ୍ଷପାତିତା) ଜୋନକୁ ଯାଆନ୍ତି ସେମାନେ “ସୁରକ୍ଷିତ” ମନେ କରନ୍ତି। ରାଜନୀତିରେ ଏହା ସତ୍ୟ ନୁହେଁ କି? ଯଦି ଆମେ ଦେଖିବା ସଂସଦୀୟ ନିର୍ବାଚନରେ ଟିକେଟ ଯେଉଁଭଳି ଭାବେ ବଣ୍ଟାଯାଉଛି, ସେଥିରୁ ଆପଣ ବୁଝିପାରିବେ “କାହା ସହିତ କାହାର ସମ୍ପର୍କ” ସବୁଠାରୁ ଅଧିକ ଗୁରୁତ୍ବ ରଖେ। ସ୍ବାଧୀନତା ପରେ ସାତ ଦଶନ୍ଧି ହେଲା ଏପରି ହୋଇ ଆସୁଛି। ବାସ୍ତବରେ ପକ୍ଷପାତିତାର ଚେର ଏତେ ଭିତରକୁ ଲମ୍ବି ଯାଇଛି ଯେ, ବହୁ ଦଶନ୍ଧି ପୂର୍ବେ ଯେଉଁମାନେ ଜାତୀୟ ସ୍ତରରେ ବଡ଼ ବଡ଼ ପଦ ପଦବୀରେ ରହିଥିଲେ ସେମାନଙ୍କ ପୁଅ-ଝିଅ ବା ନାତି ନାତୁଣୀ ଏବେ ଧରି ନେଉଛନ୍ତି ଯେ ସେମାନଙ୍କ ଜେଜେବାପା କିମ୍ବା ଜେଜେମାଆ ପ୍ରତିନିଧିତ୍ବ କରୁଥିବା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରିବା ସେମାନଙ୍କ ଅଧିକାର। ଏବଂ ଲୁଟେନସ ଦିଲ୍ଲୀରେ ସେମାନଙ୍କ ଜେଜେବାପା ରଖିଥିବା ସରକାରୀ ଘରେ ରହିବା ମଧ୍ୟ ସେମାନଙ୍କ ଅଧିକାର।
ବଂଶାନୁକ୍ରମେ ରହିବା ପରେ ସେମାନେ ଏସବୁ ଘର ସହିତ ଏପରି ଭାବେ ଯୋଡି ହୋଇ ଯାଉଛନ୍ତି ଯେ, ଏହା ସରକାରୀ ସମ୍ପତ୍ତି ବୋଲି ବି ସେମାନେ ଭୁଲିଯାଉଛନ୍ତି। ଯଦି ବି ସେମାନେ ସେସବୁ ଘରେ ରହୁନାହାନ୍ତି, ଦ୍ବିତୀୟ ଏବଂ ତୃତୀୟ ପୀଢିର ରାଜନେତାମାନେ ସେସବୁ ସରକାରୀ କୋଠାକୁ ସ୍ମାରକୀ କିମ୍ବା ମ୍ୟୁଜିୟମରେ ପରିଣତ କରିବାକୁ ଦାବି କରୁଛନ୍ତି। ଆମର ଜାତୀୟ ରାଜନୀତି ଏବଂ ଲୁଟେନସ ଦିଲ୍ଲୀରେ ଏହି ଯେଉଁ ଧାରା ଚାଲିଛି ତାହାର ପ୍ରକୃତ ଦୃଷ୍ଟାନ୍ତ ହେଉଛି ନେହରୁ-ଗାନ୍ଧି ପରିବାର। ଏହା ଆରମ୍ଭ ହୋଇଥିଲା ଯେତେବେଳେ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ 1959ରେ ତାଙ୍କ ଝିଅ ଇନ୍ଦିରା ଗାନ୍ଧିଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିଯୁକ୍ତି କରି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବାକୁ ପଥ ପରିଷ୍କାର କରି ଦେଇଥିଲେ।
ତାହାପରେ କ’ଣ ସବୁ ଘଟିଲା ତାହା ଭାରତୀୟଙ୍କୁ ଭଲ ଭାବେ ଜଣା। ଗୋଟିଏ ପରିବାରର ଜଣଙ୍କ ପରେ ଜଣେ ଦେଶର ପ୍ରଧାନମନ୍ତ୍ରୀ ହେବାରୁ ସାଧାରଣତନ୍ତ୍ର ଉପରେ ଆଧାରିତ ଆମର ସମ୍ବିଧାନ କ୍ରମଶଃ ଦୁର୍ବଳ ହେବାରେ ଲାଗିଲା ଏବଂ ଭାରତ ପ୍ରକୃତରେ ଏକ ରାଜତନ୍ତ୍ର ଆଡକୁ ମୁହାଁଇଲା। ଯେହେତୁ ପରିବାରର ପ୍ରଭାବ ବଢିବାକୁ ଲାଗିଲା, ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟ ମାନେ ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ପାଇଲେ। ନେହରୁ ପରିବାରର ପ୍ରାଧାନ୍ୟ ବଢିବା ସହ ପ୍ରଶାସକ, ଶିକ୍ଷାବିତ୍, ଜନନେତା, କଳାକାର, ସାମ୍ବାଦିକ ଏବଂ ବ୍ୟବସାୟୀ ସମସ୍ତେ ଏହି ପରିବାର ସହିତ ଯୋଡ଼ି ହେଲେ। ସମସ୍ତେ ଭାବିଲେ ଏହାଦ୍ବାରା ସେମାନେ ନିଜ ନିଜ କ୍ଷେତ୍ରରେ ଆଗକୁ ଉଠିପାରିବେ। କିଛି ମାତ୍ର ବ୍ୟକ୍ତିତ୍ବକୁ ବାଦ୍ ଦେଲେ ସମସ୍ତ ରାଜ୍ୟପାଳ, କୁଳପତି, ଖବରକାଗଜ ସମ୍ପାଦକ,ଟିଭି ଆଙ୍କର୍ସ,ପଦ୍ମ ପୁରସ୍କାର ବିଜେତା ସମସ୍ତେ ନେହରୁ ସ୍କୁଲରେ ରହିବାକୁ ଚାହିଁଲେ।
ଯେଉଁମାନେ ଭିନ୍ନ ମତ ପ୍ରକାଶ କଲେ ସେମାନଙ୍କୁ ସମ୍ମାନ ମିଳିଲା ନାହିଁ। ରାଜନୀତିରେ ସେତେବେଳେ ଯେଉଁମାନେ ଲୋକସଭା ଏବଂ ରାଜ୍ୟସଭାକୁ ନିର୍ବାଚିତ ହୋଇଗଲେ ସେମାନଙ୍କ ଉପରେ କଂଗ୍ରେସ ଦଳର ପୂର୍ଣ୍ଣ ପ୍ରାଧାନ୍ୟ ରହୁଥିଲା। ଗୋଟିଏ ପରିବାର ଓ ତାଙ୍କର କିଛି ପାଖ ଲୋକଙ୍କ ମତ ଥିଲା ସମସ୍ତଙ୍କ ମତ। ସୁତରାଂ ଏହି ପରିବାର ଯାହା ଚାହୁଁଥିଲା ତାହା ଆଇନରେ ପରିଣତ ହୋଇ ଯାଉଥିଲା । ଏହି ପରିବାରର ପକ୍ଷପାତିତା ନୀତି ଏଭଳି ବଢି ଚାଲିଲା, ଯାହାର ପ୍ରଭାବ ଅନୁଗତମାନଙ୍କ ଉପରେ ପଡିଥିଲା।
ସେମାନେ ବି ନିଜ ନିଜର ପୁଅ-ଝିଅ ଏବଂ ନାତି ନାତୁଣୀଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଶାସନ କ୍ଷମତା ଭିତରେ ରଖିଲେ। କଣ୍ଟା ଭଳି ଏହା ମାଡି ଚାଲିଲା। ନରେନ୍ଦ୍ର ମୋଦି ମେ, 2014ରେ ପ୍ରଧାନମନ୍ତ୍ରୀ ହେବା ଯାଏଁ ଏହା ନିର୍ବିବାଦରେ ଚାଲିଥିଲା। ସେ ହିଁ ଏହି ଧାରାକୁ ଭାଙ୍ଗିଥିଲେ ଏବଂ ସେ ଦିଗରେ କାମ କରି ଲୁଟେନସ ଦିଲ୍ଲୀ ସମସ୍ତଙ୍କ ପାଇଁ ସମାନ ସାବ୍ୟସ୍ତ କରିଛନ୍ତି। କଙ୍ଗନା ବଲିଉଡରେ ସେହି ସମାନ କାମ କରୁଛନ୍ତି। ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ଯେଉଁମାନେ ନିର୍ଲଜ ଭାବେ ପକ୍ଷପାତିତାକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ବାହାରୁ ଆସୁଥିବା ପ୍ରତିଭାମାନଙ୍କୁ ଖାତିର କରୁନାହାଁନ୍ତି ସେମାନଙ୍କ ବିରୁଦ୍ଧରେ ଶାଣିତ ସ୍ବର ଉତ୍ତୋଳନ କରିଛନ୍ତି କଙ୍ଗନା ରାୱତ।
ଉଦାହରଣ ସ୍ବରୁପ, ଟେଲିଭିଜନ ସୋ ଏବଂ ପବ୍ଲିକ ଇଭେଣ୍ଟରେ ନବାଗତଙ୍କୁ ନେଇ ଥଟ୍ଟାମଜା କରିବା ତ ଏକ ସାଧାରଣ ଘଟଣା। ଏମିତି ଥରେ ଆଇଫା ପୁରସ୍କାର ପ୍ରଦାନ ସମାରୋହରେ ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଶାହରୁଖ ଖାଁ ଏବଂ ସହିଦ କପୁର ମଧ୍ୟ ଜୋକ୍ କରିଥିବା ନଜିର ରହିଛି। ସୁଶାନ୍ତ ଖାଲି ଉଡି ଆସିନାହାଁନ୍ତି, ସେ ବୁଡି ଯାଉଛନ୍ତି ବୋଲି ଜଣେ ନାମକରା ବଲିଉଡ ନିର୍ଦ୍ଦେଶକ କହିଥିବା କଥା ଅବସ୍ଥାକୁ କିପରି ଜାହିର କରୁଛି ତାହା ମଧ୍ୟ କଙ୍ଗନା ସାକ୍ଷାତକାରରେ କହିଛନ୍ତି।
ଅଧିକନ୍ତୁ, ସୁଶାନ୍ତ ବିହାର ପୂର୍ଣ୍ଣିଆ ଜିଲ୍ଲାର ମାଲଡିହରେ ଜନ୍ମ ହୋଇ ଜୀବନ ଆରମ୍ଭ କରିଥିଲେ। ସେ ପଦାର୍ଥ ବିଜ୍ଞାନରେ ଜାତୀୟ ଅଲମ୍ପିଆଡ୍ ଥିଲେ। ଦେଶର ପ୍ରମୁଖ ଇଂଜିନିୟରିଂ କଲେଜରେ ନାମ ଲେଖା ପରୀକ୍ଷାରେ ରାଙ୍କ ହୋଲଡର ଥିଲେ। ଗଣିତ ଓ ମହାକାଶବିଜ୍ଞାନରୁ ନେଇ ନୃତ୍ୟ, ସଂଗୀତ ଏବଂ ସିନେମାରେ ରୁଚି ରଖିଥିବା ସୁଶାନ୍ତ ଇଲେକ୍ଟ୍ରିକ ଇଂଜିନିୟରିରେ ପଢୁଥିଲେ। ବଲିଉଡ ପାଇଁ ସେ ଆବଶ୍ୟକତା ଠାରୁ ଅଧିକ ମେଧାବୀ ଥିଲେ। ସାଧାରଣତଃ ଅନେକ ଚିତ୍ରତାରକା ସେମାନେ ପାଠପଢା ଦୁର୍ବଳ ବୋଲି ସ୍ବୀକାର କରିଥାନ୍ତି। ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣରେ ଶିକ୍ଷାଗତ ଯୋଗ୍ୟତାର ବିଶେଷ ଜରୁରୀ ନଥିବା କଥା କରନ ଜୋହର ମଧ୍ୟ ନିଜେ ସ୍ବୀକାର କରିଛନ୍ତି।
ଏହି ଲେଖକ ଜଣେ ସିନେମାପ୍ରେମୀ ନୁହଁନ୍ତି,କିନ୍ତୁ ସେ ସୁଶାନ୍ତ ସିଂ ଅଭିନୟ କରିଥିବା ଚିଚଚୋର ଏବଂ ଏମ.ଏସ.ଧୋନିଙ୍କ ଜୀବନୀ ଉପରେ ହୋଇଥିବା ବାୟୋପିକ୍ ଭଳି କିଛି ଫିଲମ ଦେଖିଥିଲେ। ଏହି ଦୁଇଟି ଯାକ ଚଳଚ୍ଚିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ସମସ୍ତେ ଦେଖିବା ଭଳି ଥିଲା। ଏଭଳି ଜଣେ ପ୍ରତିଭାବାନ କଳାକାରକୁ କୋଳେଇ ନେବା ଏବଂ ଉତ୍ସାହିତ କରିବା ପରିବର୍ତ୍ତେ ବଲିଉଡ ଦୂରେଇ ପାରିଲା? ଯଦି ମାଫିଆ ରହିଛନ୍ତି ଏବଂ ପକ୍ଷପାତିତାକୁ ଆଦରି ନେଉଥିବା ଏକ ଗୋଷ୍ଠୀ ରହିଛନ୍ତି ତେବେ ସେମାନଙ୍କୁ ଚିହ୍ନଟ କରି ବାହାର କରିବା ଉଚିତ୍। କଙ୍ଗନା ରାୱତ ଯାହାକିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ତାହା ସ୍ପଷ୍ଟ ହେବା ଉଚିତ୍।
ଯଦି ବଲିଉଡରେ ସମସ୍ତଙ୍କୁ ସମାନ ସୁଯୋଗ ଓ ସମାନ ଅଧିକାର ମିଳିବ ଏବଂ ପକ୍ଷପାତିତା ବନ୍ଦ ହେବ ତେବେ ସୁଶାନ୍ତଙ୍କ ମୃତ୍ୟୁ ହୁଏତ ବ୍ୟର୍ଥ ଯିବନାହିଁ। କିନ୍ତୁ, ସୁଶାନ୍ତଙ୍କ ଘଟଣାକୁ ନେଇ ଆନ୍ଦୋଳନ ଯେଉଁଦିନ ଜାତୀୟ ସ୍ତରରେ ପହଞ୍ଚିବ ଏବଂ ଦକ୍ଷ ଓ ପ୍ରତିଭାସମ୍ପନ୍ନ ବାହାର କଳାକାର ବକ୍ସ ଅଫିସରେ ସେମାନଙ୍କର ଟାଲେଣ୍ଟ ପ୍ରମାଣିତ କରିବାର ସାହସ ଜୁଟାଇ ପାରିବେ, ସେଦିନ ଏହା ସଫଳ ହୋଇପାରିବ।