ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଟ୍ବିଷ୍ଟ ପରେ ମହାଟ୍ବିଷ୍ଟ ପର୍ବ ଜାରି ରହିଛି । ଏହାସହ ମହାରାଷ୍ଟ୍ର ମହାଭାରତରେ ଏବେ ମୁଖ୍ୟଅସ୍ତ୍ର ଭାବରେ ‘ଟ୍ବିଟ’ କାମ କରୁଛନ୍ତି । ଏହାକୁ ବ୍ୟବହାର କରି ରାଜନୀତି ପାଣିପାଗ ବିଷୟରେ ସବିଶେଷ ତଥ୍ୟ ମିଳିପାରୁଛି । ଏପରି ସ୍ଥଳେ ମଙ୍ଗଳବାର ସାଢେ ତିନି ଦିନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ କଂଗ୍ରେସ-ଏନସିପି ବିଜେପିକୁ କଟାକ୍ଷ କରିବା ସହ ଗଣତନ୍ତ୍ରର ବିଜୟ ନାରା ଲଗାଇଛନ୍ତି । ହେଲେ ଏନସିପି ନେତା ନୱାବ ମଲ୍ଲିକ ଟିକେ ଭିନ୍ନ ଭାବରେ ଟାର୍ଗେଟ କରିଛନ୍ତି । ସେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ପୂର୍ବ ବୟାନ କ୍ରିକେଟ ଓ ରାଜନୀତିରେ ସବୁକିଛି ଓଲଟପାଲଟ ହେଇପାରେ ବୋଲି ଜବାବ ରଖିଛନ୍ତି ।
ନୱାବ ମଲ୍ଲିକ ନୀତିନଙ୍କୁ ଜବାବ ଦେଇ ଟ୍ବିଟ କରିଛନ୍ତି । ଏଥିରେ ସେ ବ୍ୟଙ୍ଗାତ୍ମକ ଢଙ୍ଗରେ କଡା ସମାଲୋଚନା କରିଛନ୍ତି । ‘ଗଡକରୀ କହୁଥିଲେ କ୍ରିକେଟ ଓ ରାଜନୀତିରେ ସବୁକିଛି ଓଲଟପାଲଟ ହେଇପାରେ । ଗଡକରୀ ଭୁଲି ଯାଉଛନ୍ତି ଯେ, ଶରଦ ପାୱାର ICCର ଅଧ୍ୟକ୍ଷ ଭାବରେ ଦାୟିତ୍ବ ସମ୍ପାଦନ କରିସାରିଛନ୍ତି । ଏବେ ବିଜେପି କ୍ଲିନ ବୋଲ୍ଡ ହୋଇଗଲେ ବୋଲି ସେ ଲେଖିଛନ୍ତି’ ।
ଏଠାରେ ସୂଚନା ଯୋଗ୍ୟ ଯ, ଦୀର୍ଘଦିନ ଧରି ମହାରାଷ୍ଟ୍ରରେ କିଏ ସରକାର କରିବ ସେ ନେଇ ସସପେନ୍ସ ଲାଗିରହିଥିବା ବେଳେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନ ଚର୍ଚ୍ଚା ପାଲଟିଥିଲା । କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ ଓ କେତେବେଳେ ବି ବାଜି ଓଲଟି ଯାଇପାରେ ବୋଲି କହିଛନ୍ତି ଗଡକରୀ।