ନୂଆଦିଲ୍ଲୀ: ସୋମବାର ମହାରାଷ୍ଟ୍ରରେ କ୍ଷମତାକୁ ନେଇ ଚାଲିଥିବା ମହାଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଲେ ଏନସିପି ମୁଖ୍ୟ ଶରଦ ପାୱାର। ସୋନିଆଙ୍କ ସହ ମହାରାଷ୍ଟ୍ର ରାଜନୀତିକୁ ନେଇ ଉଭୟ ଆଲୋଚନା କରିବେ ବୋଲି ଜଣାପଡିଛି।
ନୂଆଦିଲ୍ଲୀ ସ୍ଥିତ 10-ଜନପଥରେ ମହାରାଷ୍ଟ୍ରରେ ଏନସିପିର ଆଭିମୁଖ୍ୟ ନେଇ ସ୍ପଷ୍ଟ ଖବର ମିଳିବ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଢିବା ଆକଳନ ରହିଛି । ଏହାପୂର୍ବରୁ ଶିବସେନା ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ରାଉତ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟି ସାରିଛନ୍ତି।
ଏହାପୂର୍ବରୁ ଏନସିପି, ବିଜେପି କିମ୍ବା ଶିବସେନାକୁ ନିଜ ସମର୍ଥନ ନଦେଇ ବିପକ୍ଷରେ ବସିବା କଥା କହୁଥିଲା। ମାତ୍ର ଏନସିପି ନେତା ଅଜିତ ପାୱାର ଶତ୍ରୁକୁ ହରାଇବା ପାଇଁ ଏହା ଅସଲ ସମୟ ବୋଲି ଧରି ନେଇ, ଶିବସେନା ଆଡକୁ ସମର୍ଥନର ଆଖି ଠାର ମାରିଥିଲେ। ଫଳରେ ଶିବସେନା, ଏନସିପିକୁ ମନାଇବା ପାଇଁ ସଞ୍ଜୟଙ୍କ ଫୋନ ଅଜିତଙ୍କ ପାଖକୁ ଯାଇଥିଲା। ସୋମବାର ମ୍ୟାଡାମ ସୋନିଆଙ୍କ ଗୁରୁମନ୍ତ୍ର ପରେ ଶରଦ ସ୍ବର ସ୍ପଷ୍ଟ କରିବେ। ଏହାକୁ ନେଇ ସୋମବାର, ଶିବସେନାର ଶନିଦଶା କଟିବାର ଅନୁମାନ ଲଗାଯାଉଛି।
ସେହିଭଳି ସୋମବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ମୁମ୍ବାଇରେ ସାକ୍ଷାତ କରିଛନ୍ତି ଶିବସେନା ନେତା ରାମଦାସ କଡମ୍ ଓ ସଞ୍ଜୟ ରାଉତ। ନିର୍ବାଚନ ଫଳାଫଳ ପ୍ରକାଶକୁ ୧୦ ଦିନ ବିତିଥିଲେ ବି ଏଯାଏ କିଏ ଗଢ଼ିବ ସରକାର ସେ ନେଇ ସହମତି ହେଉନି। ଏହାକୁ ଆଖି ଆଗରେ ରଖି ସଞ୍ଜୟ ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ପ୍ରସ୍ତାବ ରଖିଥିଲେ।
ସେହିପରି ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ବଡ ବୟାନ ଦେଇଛନ୍ତି। ଖୁବଶୀଘ୍ର ସରକାର ଗଠନ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗତ ଅକ୍ଟୋବର ୨୪ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି। ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି।